୨୦୧୯-୨୦ ବିଜୁ କେବିକେ ଯୋଜନାରେ ୮ ଜିଲ୍ଲାକୁ ମିଳିଛି ୧୨୦ କୋଟି ଟଙ୍କା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ରାଜ୍ୟ ସରକାର ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବିଜୁ କେବିକେ ଯୋଜନାରେ ରାଜ୍ୟ ସେକ୍ଟରରେ ୮୦ କୋଟି ଟଙ୍କା ଏବଂ ଜିଲ୍ଲା ସେକ୍ଟରରେ ୪୦ କୋଟି ଟଙ୍କା ୮ଟି କେବିକେ ଜିଲ୍ଲାକୁ ମଞ୍ଜୁର କରିଛନ୍ତି । ୨୦୨୦-୨୧ ଆର୍ଥିକ ବର୍ଷର ଅର୍ଥ ମଞ୍ଜୁର ଲାଗି ସମ୍ପୃକ୍ତ ଜିଲ୍ଲାମାନଙ୍କୁ ବାର୍ଷିକ କାର୍ଯ୍ୟାନ୍ୱୟନ ଯୋଜନା ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ବାର୍ଷିକ କାର୍ଯ୍ୟାନ୍ୱୟନ ଯୋଜନା ଓ ଗତ ଆର୍ଥିକ ବର୍ଷର ମଞ୍ଜୁର ଅର୍ଥର ବିନିଯୋଗ ରିପୋର୍ଟ ମିଳିଲେ ଅର୍ଥ ମଞ୍ଜୁର କରାଯିବ ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।

ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ, ୨୦୧୯-୨୦ ବର୍ଷ ଲାଗି କୋରାପୁଟ ଲାଗି ୨୧ କୋଟି ମଞ୍ଜୁର ହୋଇଥିବା ବେଳେ ସେଥିରୁ ୬.୪୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସେହିପରି ମାଲକାନଗିରି ଜିଲ୍ଲା ପାଇଁ ୧୦.୫୦ କୋଟି ଟଙ୍କାରୁ ୩.୪୮ କୋଟା ଖର୍ଚ୍ଚ ହୋଇଛି । ନବରଙ୍ଗପୁର ଲାଗି ୧୫ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଖର୍ଚ୍ଚ ହୋଇଛି ୭.୫୦ କୋଟି, ରାୟଗଡା ଜିଲ୍ଲାରେ ୧୬.୫୦ କୋଟି ଟଙ୍କରୁ ୩.୦୮ କୋଟି, ବଲାଙ୍ଗିରରେ ୨୧.୦୦ କୋଟିରୁ କୌଣସି ଅର୍ଥ ବ୍ୟୟ କରାଯାଇନାହିଁ । ସୁବର୍ଣ୍ଣପୁରରେ ମଧ୍ୟ ମଞ୍ଜୁର ହୋଇଥିବା ୯ କୋଟି ଟଙ୍କାରୁ କିଛି ଟଙ୍କା ଖର୍ଚ୍ଚ ହୋଇନାହିଁ । କଳାହାଣ୍ଡି ଜିଲ୍ଳାରେ ୧୯.୫୦ କୋଟି ମଞ୍ଜୁର ହୋଇଥିବା ବେଳେ କିଛି ଅର୍ଥ ବ୍ୟ କରାଯାଇନାହିଁ ।

ନୂଆପଡା ଜିଲ୍ଲାରେ ୭.୫୦ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ସେଥିରୁ ୦.୨୯ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ମୋଟ ଉପରେ ୮ଟି ଜିଲ୍ଲା ପାଇଁ ୧୨୦.୦୦ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ବେଳେ ସେଥିରୁ ୨୦.୮୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସେହିପରି ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବିଜୁ କେବିକେ ଯୋଜନାରେ ବଲାଙ୍ଗିର ଜିଲ୍ଲାର ଷ୍ଟେଟ୍ ସେକ୍ଟର ଯୋଜନା ସରକାରଙ୍କ ହସ୍ତଗତ ହୋଇନଥିବାରୁ ଅନୁମୋଦନ ହୋଇନାହିଁ । ଏହି ଯୋଜନାକୁ ତୁରନ୍ତ ଦାଖଲ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ବିଧାୟକ ସନ୍ତୋଷ ସିଂ ସାଲୁଜା କରିଥିବା ପ୍ରଶ୍ନ ରାଜ୍ୟସରକାର ବିଜୁ କେବିକେ ଯୋଜନାରେ ୨୦୧୯-୨୦ ଏବଂ ୨୦-୨୧ରେ ଷ୍ଟେଟ୍ ସେକ୍ଟର ଏବଂ ଜିଲ୍ଲା ସେକ୍ଟରମୋଟ୍ କେତେ ଟଙ୍କା ଅନୁଦାନ ଦେଇଛନ୍ତି ଏବଂ କେତେ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ବେହେରା ଉପରୋକ୍ତ ସୂଚନା ଦେଇଛନ୍ତି ।