ସିଗାରେଟ ବଟ୍ ସମେତ ବନ୍ଦ ହେବ ୧୨ ପ୍ଲାଷ୍ଟିକ୍ ଉତ୍ପାଦ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧୫ରେ ନିଜ ଅଭିଭାଷଣରେ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକର ବ୍ୟବହାର ନକରିବାକୁ କହିଥିଲେ। ଏ ଦିଗରେ ସରକାର ଅକ୍ଟୋବର ୨ରୁ ୧୨ ପ୍ରକାରର ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ଉତ୍ପାଦର ବ୍ୟବହାର ଉପରେ ପ୍ରତିବନ୍ଧକ ଜାରି କରିବା ଲାଗି ଯୋଜନା ଚଳାଇଛନ୍ତି। କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ମଧ୍ୟ ଏହି ପ୍ଲାଷ୍ଟିକ୍ ସାମଗ୍ରୀର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ପ୍ରସ୍ତାବିତ ତାଲିକା ପ୍ରସ୍ତୁତ କରିଛି।

ସୂଚନା ମୁତାବକ ସିଗାରେଟ୍ର ବଟ୍ସକୁ ସମଗ୍ର ବିଶ୍ୱରେ ସବୁଠାରୁ ବଡ଼ ପ୍ଲାଷ୍ଟିକ୍ ପ୍ରଦୂଷକ କୁହାଯାଉଛି, ଯାହା ବର୍ତ୍ତମାନ ପ୍ରତିବନ୍ଧକ ତାଲିକାର ପରିସରଭୁକ୍ତ ହେବ। ସିଗାରେଟର ବଟ୍ସରେ ଫିଲ୍ଟର ରହିଛି, ଯାହାକୁ ସାଧାରଣତଃ ସେଲ୍ୟୁଲୋଜ୍ ଆସିଟେଟ୍ ନାମଲ ଏକପ୍ରକାରର ପ୍ଲାଷ୍ଟିକ୍ରେ ପ୍ରସ୍ତୁତ କରାଯାଇଛି।

ସିଗାରେଟ୍ ବଟ୍ସ ସମେତ ଏହି ପ୍ରସ୍ତାବିତ ତାଲିକାରେ ଷ୍ଟ୍ର, ଇୟର୍ ବଡ୍ସ, ବେଲୁନ୍, ପତାକା, କ୍ୟାଣ୍ଡିରେ ବ୍ୟବହାର କରାଯାଉଥିବା ପ୍ଲାଷ୍ଟିକ୍ କାଠି, ପତଳା ପ୍ଲାଷ୍ଟିକ୍ ଥାଳି (୫୦ ମାଇକ୍ରୋନ୍ସରୁ କମ୍), ଛୋଟ ପ୍ଲାଷ୍ଟିକ୍ କପ୍ ବା କଣ୍ଟେନର୍, ରାସ୍ତାପାଶ୍ୱର୍ରେ ଲଗାଯାଉଥିବା ବ୍ୟାନର୍ ଆଦି ସାମିଲ ରହିଛି।

ଏହାବ୍ୟତୀତ ୨୦୦ ମିଲିଲିଟରରୁ ଛୋଟ ବୋତଲକୁ ମଧ୍ୟ ପ୍ରସ୍ତାବିତ ତାଲିକାରେ ସାମିଲ କରାଯାଇଛି। ଏହାଦ୍ୱାରା ବେଭରେଜ୍ ଫାର୍ମଗୁଡ଼ିକୁ ସାମାନ୍ୟ ଆଶ୍ୱସ୍ତି ମିଳିବ ବୋଲି ଅନୁମାନ କରାଯାଉଛି।