ଜବରଦଖଲ ଉଚ୍ଛେଦକୁ ନେଇ ୧୨ ଘଣ୍ଟିଆ ବନ୍ଦ ଡାକରା

ବାରିପଦା,ଏନ୍ଏନ୍ଏସ୍: ଜାତୀୟ ରାଜପଥ କଡ଼ରୁ ଜବରଦଖଲ ଉଚ୍ଛେଦ ପ୍ରତିବାଦରେ ଭଦ୍ରକ ଜିଲ୍ଲା ବରପଦା ସୁରକ୍ଷା ନାଗରିକ ମଞ୍ଚ ପକ୍ଷରୁ ସୋମବାର ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସୋମବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯଇଥିବାବେଳେ ଏ ନେଇ ବଜାରର ସମସ୍ତ ଦୋକାନ ବନ୍ଦ ରହିଛି। ସେହିପରି ଆନ୍ଦୋଳନକାରୀମାନେ ଜାତୀୟ ରାଜପଥରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଫଳରେ ବରପଦା ଆଗରପଡ଼ା ଓ ଆନନ୍ଦପୁରକୁ ଗାଡ଼ି ଚଳାଚଳ ଠପ୍ ହୋଇଯାଇଛି ଯାହାଦ୍ୱାରା ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଅଭିଯୋଗ ଅନୁସାରେ ବାରିପଦା ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଥିବା ଡ୍ରେନ ଉପରେ କିଛି ବ୍ୟକ୍ତି ବେଆଇନ ଭାବେ ଦୋକାନ ଗୃହ ନିର୍ମାଣ କରିଥିବାବେଳେ ଅନ୍ୟ କେତେକ ବ୍ୟକ୍ତି ଏହାକୁ ଜବରଦଖଲ କରି ରଖିଛନ୍ତି। ଫଳରେ ବର୍ଷାଦିନେ ଡ୍ରେନ୍‌ରେ ପାଣି ନିଷ୍କାସନ ହେଇନପାରି ବଜାରରେ କୃତ୍ରିମ ବନ୍ୟା ସୃଷ୍ଟି ହେଉଛି। ଏ ନେଇ ବରପଦା ସୁରକ୍ଷା ନାଗରିକ  ମଞ୍ଚ ପକ୍ଷରୁ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ଏଥିପ୍ରତି କୌଣସି ପଦକ୍ଷେପ ନିଆଯାଉନାହିଁ। ଫଳରେ ବାଧ୍ୟ ହୋଇ ସୋମବାର ଜାତୀୟ ରାଜପଥ ଅବରୋଧ କରାଯାଇଛି।