୧୨ଜଣ ଚାଷୀଙ୍କୁ ମିଳିନି ଖରିଫ ଧାନ ଟଙ୍କା

ମାଲକାନଗିରି,ଏନ୍ଏନ୍ଏସ୍: ଖରିଫ ଋତୁରେ ଅମଳ କରି ମଣ୍ଡିରେ ବିକ୍ରି କରିଥିବା ଧାନର ପ୍ରାପ୍ୟ ବର୍ତ୍ତମାନ ସୁଦ୍ଧା ଚାଷୀ ପାଇନଥିବା ଅଭିଯୋଗ ହୋଇଛି। କରୋନା କାଳରେ ପ୍ରାୟ ୧ମାସରୁ ଊର୍ଦ୍ଧ ସମୟ କାମଧନ୍ଦା ଅଭାବ ସାଙ୍ଗକୁ ନିଜର ପରିଶ୍ରମର ଫଳ ମିଳିନଥିବାରୁ କୋରୁକୋଣ୍ଡା ବ୍ଲକ ଅଂଚଳର ଚାଷୀମାନେ ଚିନ୍ତାରେ କାଳ କାଟୁଛନ୍ତି। ଏହି ବ୍ଲକ ଅନ୍ତର୍ଗତ କୋରୁକୋଣ୍ଡା ଲ୍ୟାମ୍ପସର ବିଭିନ୍ନ ମଣ୍ଡିରେ ଚାଷୀମାନେ ଧାନ ଦେଇ ବର୍ତ୍ତମାନ ସୁଦ୍ଧା ଟଙ୍କା ପାଇନଥିବା ବେଳେ କିଛି ଚାଷୀଙ୍କ ଧାନ ବର୍ତ୍ତମାନ ସୁଦ୍ଧା ବିକ୍ରି ହୋଇପାରିନାହିଁ। କେବଳ ଏତିକି ନୁହେଁ କିଛି ଚାଷୀଙ୍କ ଟୋକେନ ଅନଲାଇନରେ ଉଭାନ ହୋଇଯାଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି।
ସେହିପରି ଦୋରାଗୁଡ଼ା ଗ୍ରାମର ୭ଜଣ ଚାଷୀ ବାଲାଜୀ ରାଇସ ମିଲ ଓ ୫ଜଣ ଚାଷୀ ଅନ୍ନପୂର୍ଣ୍ଣା ରାଇସ ମିଲକୁ ଧାନ ଦେଇଥିଲେ। କିନ୍ତୁ ଲ୍ୟାମ୍ପସ ଦ୍ୱାରା ବର୍ତ୍ତମାନ ସୁଦ୍ଧା ସେମାନଙ୍କୁ ଟଙ୍କା ମିଳିନଥିବା ଗ୍ରାମର ଉଦୟନାଥ ଖିଲ, ସହଦେବ କିରସାନି, କୁଷା ପାଙ୍ଗିଙ୍କ ସମେତ ବହୁ ଚାଷୀ ଅଭିଯୋଗ କରିଛନ୍ତି। ଚିତାପାରୀ ଗ୍ରାମର ୪୯ ଜଣ ଚାଷୀ ଧାନ ବିକ୍ରି କରିବାକୁ ଅପେକ୍ଷା କରିଥିବା ବେଳେ ୩୪୩ଜଣ ଟୋକେନ ପାଇନାହାନ୍ତି। ଏଥି ସହିତ ସଂପୃକ୍ତ ସମସ୍ତ ଗ୍ରାମର ମୋଟ ୨୪୪ ଜଣଙ୍କର ଟୋକେନ ଉଭାନ ହୋଇଯାଇଥିବା ଅଭିଯୋଗ ହୋଇଛି। ଏନେଇ ଚିତ୍ରକୋଣ୍ଡା ତହସିଲଦାର ଗତ ଫେବୃଆରୀ ମାସ ୯ ତାରିଖରେ ଉପଜିଲ୍ଲାପାଳଙ୍କୁ ଏକ ରିପୋର୍ଟ ପଠାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ସୁଫଳ ମିଳିନାହିଁ। ପୂର୍ବତନ ଚିତ୍ରକୋଣ୍ଡା ବିଧାୟକ ଡମ୍ବୁରୁ ଶିଶା ସଂପୃକ୍ତ ଅଂଚଳକୁ ଗସ୍ତରେ ଯାଇଥିବା ବେଳେ ଏହି ଚାଷୀମାନେ ଅଭିଯୋଗ କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ କରିଛନ୍ତି।