ରାଜଧାନୀରୁ ଆଉ ୧୨ କରୋନା ପଜିଟିଭ ଚିହ୍ନଟ, ୭ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୧୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪ ଜଣ ହୋମ୍ କ୍ୱାରେଣ୍ଟାଇନ ଓ ୮ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏଥିସହିତ ୭ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ହୋମ କ୍ୱାରେଣ୍ଟାଇନ ସଂକ୍ରମିତଙ୍କ ମଧ୍ୟରୁ ଟଙ୍କପାଣି ରୋଡର ୨ଜଣ ପୁରୁଷ ରହିଛନ୍ତି ଯିଏକି ପଶ୍ଚିମବଙ୍ଗ ଫେରନ୍ତା। ସେହିପରି ଶୈଳଶ୍ରୀ ବିହାରର ଜଣେ ବାଙ୍ଗାଲୁରୁ ଫେରନ୍ତା ଓ ଖଣ୍ଡଗିରିରୁ ଜଣେ ପୁନେ ଫେରନ୍ତା ରହିଥିବା ଜଣାପଡ଼ିଛି।

ଅନ୍ୟପଟେ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରୁ ଡୁମଡୁମା ରଘୁନାଥନଗର ବସ୍ତିରୁ ୨ଜଣ, ଡୁମଡୁମା ସୁଖବିହାର ବସ୍ତିରୁ ଜଣେ ଓ ଶ୍ରୀରାମ ନଗରରୁ ଜଣେ ଲେଖାଏଁ ରହିଛନ୍ତି। ଉକ୍ତ ୩ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଗଞ୍ଜାମ ଥିବା ସୂଚନା ମିଳିଛି। ସେହିପରି ନିଳାଦ୍ରୀ ବିହାର, ଜାଗମରା ଓ ୟୁନିଟ-୨ରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଆଜି ସୁସ୍ଥ ହୋଇଥିବା ୭ଜଣଙ୍କ ମଧ୍ୟରୁ ସରକାରୀ ହସ୍ପିଟାଲର ଜଣେ ପୁରୁଷ କର୍ମଚାରୀ, ସାଲିଆସାହି ସରପାଲ୍ଲୀ ବସ୍ତିରୁ ଜଣେ, ଘରୋଇ ହସ୍ପିଟାଲର ୩ଜଣ ମହିଳା କର୍ମଚାରୀ, ଚନ୍ଦ୍ରଶେଖରପୁର ମୈତ୍ରୀବିହାର ଓ ଭିଏସ୍ଏସ୍ ନଗରରୁ ଜଣେ ଲେଖାଏଁ ରହିଛନ୍ତି।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩୨ ହୋଇଥିବାବେଳେ ୧୯୨ ଜଣ ସୁସ୍ଥ ହୋଇ ଘରକୁ ପେରିଛନ୍ତି। ସେହିପରି ୪ଜଣଙ୍କର ମୃତ୍ୟୁ ଘଟିଛି ଓ ୧୩୫ଜଣ ଚିକିତ୍ସାଧୀନ ଅଛନ୍ତି।