୩ ଦିନରେ ଇ-ବାଣିଜ୍ୟ କମ୍ପାନୀଙ୍କ ଆୟ ୧୨.୭ ହଜାର କୋଟି

ନୂଆଦିଲ୍ଲୀ,ଏଜେନ୍ସି: ଆର୍ଥିକ ମାନ୍ଦାବସ୍ଥା ଏବଂ ଚାହିଦାରେ ହ୍ରାସ ହେଉଥିବା ମଧ୍ୟରେ ଇ-ବାଣିଜ୍ୟ କମ୍ପାନୀଗୁଡ଼ିକ ନିଜନିଜର ପାର୍ବଣ ଅଫରରେ ଜୋରଦାର ବିକ୍ରି କରିଛନ୍ତି। ପାର୍ବଣର ସେଲ ଅନ୍ତର୍ଗତ କମ୍ପାନୀଗୁଡ଼ିକ କେବଳ ୩ ଦିନ ମଧ୍ୟରେ ୧୨.୭ ହଜାର କୋଟି ଟଙ୍କାର ଆୟ କରିଛନ୍ତି। ରେଡ୍ସିର କନସଲ୍ଟିଂ ରିପୋର୍ଟ ମୁତାବକ, ଇ-ବାଣିଜ୍ୟ କମ୍ପାନୀଗୁଡ଼ିକ ତରଫରୁ ୬ ଦିନର ପାର୍ବଣ ସେଲର ଶେଷସୁଦ୍ଧା ମୋଟ ୨୬.୨୩ ହଜାର କୋଟି ଟଙ୍କାର ବିକ୍ରି ସ୍ତରକୁ ଛୁଇଁପାରନ୍ତି। ରେଡସିର ତରଫରୁ ଇ-ବାଣିଜ୍ୟ କ୍ଷେତ୍ରର ପ୍ରତିଷ୍ଠିତ ଦୁଇଟି କମ୍ପାନୀ ଆମାଜନ ଏବଂ ଫ୍ଲିପକାର୍ଟର ଭିନ୍ନ ଭିନ୍ନ ରିପୋର୍ଟ ଜାରି କରିନାହିଁ। ମାତ୍ର ଉପଭୋକ୍ତାମାନେ ଫ୍ଲିପକାର୍ଟରୁ ଫ୍ୟାସନ ସାମଗ୍ରୀ ଏବଂ ଆମାଜନରୁ ଇଲେକ୍ଟୋନିକ ସାମଗ୍ରୀ କ୍ରୟ କିଣିବା ଲାଗି ପ୍ରାଥମିକତା ଦେଇଛନ୍ତି ବୋଲି ରିପୋର୍ଟରେ ସୂଚିତ କରାଯାଇଛି। ଗତବର୍ଷ ଭଳି ଚଳିତବର୍ଷ ଇ-ବାଣିଜ୍ୟ କ୍ଷେତ୍ରର ଗ୍ରସ ମର୍ଚାଣ୍ଟ ଭାଲ୍ୟୁର ୫୫% ଭାଗ ମୋବାଇଲରୁ ଆସିଛି। ଇଲେକ୍ଟ୍ରୋନିକ୍ସ, ଫ୍ୟାସନ ଏବଂ ଫର୍ଣ୍ଣିଚର ଶ୍ରେଣୀରେ ମଧ୍ୟ ଯଥେଷ୍ଟ ବୃଦ୍ଧି ପରିଲକ୍ଷିତ ହୋଇଛି।