ସ୍ୱଦେଶ ଫେରିଲେ ଜାପାନର ୟୋକୋହମା ବନ୍ଦରରେ ଫଶି ରହିଥିବା ୧୧୯ ଭାରତୀୟ

ନୂଆଦିଲ୍ଲୀ,ଏଜେନ୍ସି: କୋରୋନା ଆକ୍ରାନ୍ତ ସନ୍ଦେହରେ ଜାପାନର ୟୋକୋହମା ବନ୍ଦରରେ ଫସି ରହିଥିବା ୧୧୯ ଜଣ ଭାରତୀୟ ଆଜି ସ୍ୱଦେଶ ଫେରିଛନ୍ତି । ସେମାନଙ୍କୁ ଏୟାର ଇଣ୍ଡିଆ ବିମାନରେ ଟୋକିଓରୁ ଦିଲ୍ଲୀକୁ ଅଣାଯାଇଛି। ସେମାନଙ୍କ ମଧ୍ୟରେ ଓଡ଼ିଶାର ଶିବାଶିଷ ନାୟକ ମଧ୍ୟ ଥିବା ଜଣାଯାଇଛି।

ପୁଅ ଫେରିବା ଖବରପାଇ ଶିବାଶିଷଙ୍କ ବାପା ଲିଙ୍ଗରାଜ ନାୟକ ଖୁବ୍‌ ଆଶ୍ୱସ୍ତ ଥିବା କହିଛନ୍ତି। ଆଜି ସକାଳ ୫ଟାରେ ପୁଅ ବିମାନରେ ଭାରତ ଫେରୁଥିବା ବେଳେ ସେ କଥା ହୋଇଥିଲେ। ଜାପାନରେ ପୁଅର କୋରୋନା ଟେଷ୍ଟ ନେଭେଟିଭ୍ ଆସିଛି। କିନ୍ତୁ ଭାରତ ଫେରିବା ପରେ ଅନ୍ୟମାନଙ୍କ ସମେତ ପୁଅକୁ ମଧ୍ୟ ସ୍ୱତନ୍ତ୍ର ଭାବେ ରଖାଯାଇ ବିଭିନ୍ନ ପରୀକ୍ଷା କରାଯିବ। ତେଣୁ ଘରକୁ ଫେରିବାରେ ପୁଅର ବିଳମ୍ବ ହେବ ବୋଲି ସେ ଗଣମାଧ୍ୟମକୁ ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ, ଭାରତୀୟ ଯାତ୍ରୀଙ୍କ ସହ ଶ୍ରୀଲଙ୍କା, ନେପାଳ, ଦକ୍ଷିଣ ଆଫ୍ରିକା ଓ ପେରୁର ୫ଜଣ ଯାତ୍ରୀ ଏହି ବିମାନରେ ଫେରିଛନ୍ତି । କୋରୋନା ଆକ୍ରାନ୍ତ ସନ୍ଦେହରେ ଏହି ଯାତ୍ରୀମାନଙ୍କୁ ୟୋକୋହମା ବନ୍ଦରରେ ସ୍ୱତନ୍ତ୍ର ଭାବେ ରଖାଯାଇଥିଲା। ଡାଇମଣ୍ଡ ପ୍ରିନସେସ୍ ଜାହାଜରେ ସେମାନଙ୍କୁ ଅଲଗା ରଖାଯାଇଥିଲା। ଯାତ୍ରୀମାନେ ସୁରକ୍ଷିତ ଭାବେ ଭାରତ ଫେରିଥିବାରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଜାପାନ ଅଧିକାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।