ବଲାଙ୍ଗିରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୬, ୭୮ ସକ୍ରିୟ , ୩୮ ସୁସ୍ଥ

ବଲାଙ୍ଗିର,ଏନ୍ଏନ୍ଏସ୍: ବାହାର ରାଜ୍ୟରୁ ପ୍ରବାସୀ ଶ୍ରମିକଙ୍କ ଆଗମନ ପରେ ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି। ଏଥି ମଧ୍ୟରେ ଜିଲ୍ଲାରେ ଆକ୍ରାନ୍ତ ସଙ୍ଖ୍ୟା ୧୧୬ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୭୮ କେସ ସକ୍ରିୟ ରହିଛି। ଏଥିସହ ୩୮ ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ଆଜି ନୂତନ ଭାବେ ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

୧୧ ଜଣଙ୍କ ମଧ୍ୟରୁ ୭ ଜଣ ଆଗଲପୁର ବ୍ଲକର, ୨ଜଣ ବଙ୍ଗୋମୁଣ୍ଡା ବ୍ଲକର ଓ ଜଣେ ମୁରୀବାହାଲ ତଥା ଟିଟିଲାଗଡ ବ୍ଲକର। ଆଗଲପୁର ବ୍ଲକରେ ଚିହ୍ନିତ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୨ଜଣ ସାଲେଡୁଙ୍ଗୁରୀ ପଞ୍ଚାୟତର ହୋଇଥିବା ବେଳେ ୪ ଜଣ ତେନ୍ତୁଲିଖୁଣ୍ଟି ଓ ଜଣେ କୁଦୋପାଲି ପଞ୍ଚାୟତର। ଏମାନେ ସମସ୍ତେ ମେ’ ୧୯ ରୁ ୨୬ ତାରିଖ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନ କେନ୍ଦ୍ରରେ ଥିଲେ। ୨୭ ତାରିଖରୁ ହୋମ କ୍ୱାରେଣ୍ଟାଇନରେ ଥିଲେ। ସମସ୍ତେ ତାମିଲନାଡୁ ଫେରନ୍ତା।

ବଙ୍ଗୋମୁଣ୍ଡା ବ୍ଲକ ବିରିପାଲି ପଞ୍ଚାୟତର ୨ଜଣ ହୋଇଥିବା ବେଳେ ସେମାନେ ମୁମ୍ବାଇ ଫେରନ୍ତା ବୋଲି ଜଣାପଡ଼ିଛି। ସେମାନେ କ୍ୱାରେଣ୍ଟାଇନ କେନ୍ଦ୍ରରେ ଥିଲେ। ସେହିପରି ଟିଟିଲାଗଡ ପରାସର ପଞ୍ଚାୟତର ଜଣେ ମୁମ୍ବାଇ ଫେରନ୍ତା ହୋଇଥିବା ବେଳେ ମୁରୀବାହାଲ ବୁଢୀପଦର ପଞ୍ଚାୟତର ମଧ୍ୟ ଜଣେ ମୁମ୍ବାଇ ଫେରନ୍ତା।