କରୋନା ଇଫେକ୍ଟ : ୧୧୦ ଜଣଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ରନ୍ଧାଖାଦ୍ୟ ପ୍ରଦାନ

ଦେବଗଡ,ଏନ୍ଏନ୍ଏସ୍ : ବିଶ୍ୱବ୍ୟାପି ଆତଙ୍କ ସୃଷ୍ଟି କରିଥିବା କରୋନା ସଂକ୍ରମଣକୁ ନେଇ ସାରା ବିଶ୍ୱରେ ଆତଙ୍କର ବାତାବରଣ ଥିବାବେଳେ ଦେଶରେ ମଧ୍ୟ ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତା ଉଦ୍ଦେଶ୍ୟରେ ସାରାଦେଶ ଲକଡାଉନ ରହିଛି । ଜନ ସାଧାରଣ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଥିବା ବେଳେ ରୋଜଗାର ପାଇଁ ଅନ୍ୟ ରାଜ୍ୟକୁ ଯାଇଥିବା ବହୁ ଶ୍ରମିକ ଏବେ ମଧ୍ୟ ଅନ୍ୟ ରାଜ୍ୟ ଏବଂ ଜିଲ୍ଲା ଗୁଡିକରେ ଫଶି ରହି ଭୋକ ଉପାସରେ ନିଜ ନିଜ ଘରକୁ ଫେରିବା ବାଟକୁ ଅପେକ୍ଷା କରି ରହିଛନ୍ତି । ସମଗ୍ର ଦେଶରେ ଯାତ୍ରୀବାହୀ ରେଳ ସେବା ,ଆନ୍ତଃରାଜ୍ୟ ବସ ଚଳାଚଳ ଓ ଆକାଶ ମାର୍ଗକୁ ବନ୍ଦ କରିଦିଆ ଯାଇଥିବାରୁ ଆଜି ମଧ୍ୟ ହଜାର ହଜାର ଶ୍ରମିକ ନିଜ ଘରକୁ ଫେରି ନ ପରି ନିଜ ଭବିଷ୍ୟତକୁ ନେଇ ସନ୍ଦିହାନ ହୋଇପଡିଛନ୍ତି ।

ଦେବଗଡ ଜିଲ୍ଲାରେ ଅନ୍ୟ ଜିଲ୍ଲା ଓ ରାଜ୍ୟରୁ ଆସି ଫଶି ରହିଥିବା ବ୍ୟକ୍ତି ଏବଂ ଗ୍ରାମାଚଂଳର କୈାଣସି ପରିବାରର ସଦସ୍ୟ ବାହାରକୁ ଯାଇ ଫଶି ରହିବା କାରଣରୁ ଉକ୍ତ ପରିବାର ର ବୟସ୍କ,ଶିଶୁ ଓ ରୋଗାକ୍ରାନ୍ତ ବ୍ୟକ୍ତି ବିଶେଷଙ୍କୁ ଗତକାଲି ଠାରୁ ଦେବଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ରନ୍ଧାଖାଦ୍ୟ ଯୋଗଇ ଦିଆଯାଉଥିବା ଜଣା ପଡିଛି । ଏହି କ୍ରମରେ ଆଜି ବାରକୋଟ ବ୍ଲକର ଗୋଟିଏ ପଂଚାୟତରେ ୭ ଜଣ ବୟସ୍କଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥିବା ବେଳେ ରିଆମାଲ ବ୍ଲକର୨ଟି ପଂଚାୟତରେ ୧୮ ଜଣ ଓ ତିଲେଇବଣୀ ବ୍ଲକ ୪ଟି ପଂଚାୟତରେ ୮୫ ଜଣଙ୍କୁ ପ୍ରଶାସନ ପକ୍ଷରୁ ରନ୍ଧାଖାଦ୍ୟ ଯୋଗାଇଦିଆଯାଇଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭିନସେଣ୍ଟପୁନମକାନ୍ତ ଏକ୍କା ସୂଚନା ଦେଇଛନ୍ତି ।