ଲାଲବାହିନୀକୁ ଶକ୍ତ ଝଟ୍‌କା, ସୁକମାରେ ଆତ୍ମସମର୍ପଣ କଲେ ୧୧ ନକ୍ସଲ

ସୁକମା,ଏନ୍ଏନ୍ଏସ୍: ଛତିଶଗଡ ସୁକମା ଜିଲ୍ଲାରେ ପୁଲିସକୁ ମିଳିଲା ବଡ ସଫଳତା । ପୁଲିସ ନିକଟରେ ଆତ୍ମସମର୍ପଣ କଲେ ୧୧ ନକ୍ସଲ। ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ନକ୍ସଲ ଥିବା ସୂଚନା ମିଳିଛି । ସୁକମା ପୁଲିସ ଦ୍ବାରା ଆରମ୍ଭ କରାଯାଇଥିବା ପୁନା ନାର୍କମ ଅଭିଯାନରେ ଅନୁପ୍ରାଣିତ ହୋଇ ଏକାଧିକ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ସମାଜର ମୁଖ୍ୟସ୍ରୋତକୁ ଫେରିବା ଲକ୍ଷ୍ୟରେ ସୁକମା ଏସପିଙ୍କ ପାଖରେ ଏମାନେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ଆତ୍ମସମର୍ପଣ ପରେ ପୁଲିସ ଏମାନଙ୍କୁ ସ୍ବାଗତ କରିଛି ।

ସୁକମା ପୁଲିସ ଅଧୀକ୍ଷକ ସୁନୀଲ ଶର୍ମା କହିଛନ୍ତି ଯେ, ନକ୍ସଲ ପ୍ରଭାବିତ ଗାଦିରାସ ଅଞ୍ଚଳରେ ଏମାନେ ସକ୍ରିୟ ରହିଥିଲେ । ଆତ୍ମସମର୍ପଣ କରିଥିବା ନକ୍ସଲମାନେ ମାଓବାଦୀଙ୍କ ନିର୍ଯାତନାର ଶିକାର ହୋଇଛନ୍ତି । ତଳ ଶ୍ରେଣୀର କ୍ୟାଡରର ଭାବେ ଏମାନେ ସମସ୍ତ ମାଓ ସଂଗଠନରେ କାର୍ଯ୍ୟ କରୁଥିଲେ । ସମସ୍ତଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ଅଭିଯୋଗ ମଧ୍ୟ ରହିଛି । ସେମାନଙ୍କୁ ତୁରନ୍ତ ସହାୟତା ସହ ସରକାରଙ୍କ ପୁନର୍ବାସ ନୀତି ଅନୁଯାୟୀ ସୁବିଧା ଯୋଗାଇ ଦିଆଯିବ ବୋଲି ଜିଲ୍ଲା ଏସପି ସୂଚନା ଦେଇଛନ୍ତି ।