ଘଞ୍ଚଜଙ୍ଗଲ ମଧ୍ୟରେ ଚାଲିଛି ଗଞ୍ଜେଇ କାରବାର, ୧୧ଶହ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ରାମନାଗୁଡା,ଏନ୍ଏନ୍ଏସ୍: ଘଞ୍ଚଜଙ୍ଗଲରେ ଚାଲିଛି ଗଞ୍ଜେଇ ଲୁଚାଛାପା କାରବାର। କୌଣସି ସୁତ୍ରରୁ ପୁଲିସ ଚଢ଼ଉ କରିଥିବା ବେଳେ ପୁଲିସ ନିକଟରେ ଚକିତ ତଥ୍ୟ ହସ୍ତଗତ ହୋଇଛି। ବିପୁଳ ପରିମାଣର ଗଞ୍ଜେଇ ଏକତ୍ର କରି ପର୍ଯ୍ୟାୟକ୍ରମେ ବିଭିନ୍ନ ଅଞ୍ଚଳକୁ ଏହା ଚାଲାଣ କରାଯାଉଛି। ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ଗୁଡାରୀ ଥାନା ଅଞ୍ଚଳରେ। ଏହି ଚେରି ବହୁ ଦୂର ପର୍ଯ୍ୟନ୍ତ ଲମ୍ବିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରିଛି।

ସୂଚନା ଅନୁଯାୟୀ ଚନ୍ଦ୍ରପୁର ବ୍ଲକ କନ୍ଧମାଳ ତଥା କନ୍ଧମାଳ ସୀମାନ୍ତରେ ଲାଗି ରହିଛି ବୁରଣ୍ଡି ଜଙ୍ଗଲ। ଅପହଞ୍ଚ ଜଙ୍ଗଲର ସୁଯୋଗ ନେଇ ବେଧଡ଼କ ଭାବେ ଗଞ୍ଜେଇ ଚାଲାଣକାରୀ ସକ୍ରିୟ ଥିବା ଜଣାପଡ଼ିଛି। କୌଣସି ସୁତ୍ରରୁ ଖବର ପାଇ ଗୁଡାରୀ ଥାନାଧିକାରୀ ସୁଶାନ୍ତ କୁମାର କାଉଡ଼ିଆ ନେତୃତ୍ୱରେ ଏକଟିମ ଚଢ଼ଉ କରି ଥାନାଠାରୁ ପ୍ରାୟ ୧୪ କିଲୋମିଟର ଦୂର ଘଞ୍ଚ ଜଙ୍ଗଲ ମଧ୍ୟରେ ଶହଶହ କିଣ୍ଟାଲ ଗଞ୍ଜେଇ ଗଛିତ ରଖାଯାଇଥିବା ବେଳେ ଏହାକୁ ଜବତ କରାଯାଇଛି।

ଏହିଠାରୁ ବିଭିନ୍ନ ଅଞ୍ଚଳର ବ୍ୟବସାୟୀ ଆସି ଗଞ୍ଜେଇ କିଣି ନେଉଥିବା ପୁଲିସ ଅନୁମାନ କରିଛି। ପୁଲିସ ଚଢ଼ଉ କରି ସଗିଗୁଡା ଗାଁ’ର ସମୀର ମାଝୀଙ୍କୁ ଗିରଫ କରିଥିବା ବେଳେ ଜବତ ହୋଇଥିବା ଗଞ୍ଜେଇ ଓଜନ ୧୧ ଶହ କିଲୋ ହୋଇଥିବା ଜଣାପଡିଛି। ଉକ୍ତ ସ୍ଥାନରୁ ୯ଟି ବାଇକ ଜବତ କରାଯାଇଥିବା ବେଳେ ୧୨ ଜଣ ଫେରାର ହୋଇଥିବା ସୂଚନା ମିଳିଛି। ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି।