ଜଳବନ୍ଦୀ ୧୧ ପରିବାର ଉଦ୍ଧାର ପାଇଁ ପହଁଚିଲେ ବିଡ଼ିଓ – ତହସିଲଦାର

ଦେବଗଡ ,ଏନଏନଏସ : ବ୍ରାହ୍ମଣୀ ନଦୀର ଉପର ମୁଣ୍ଡରେ ବର୍ଷା ପରିମାଣ ବଢ଼ିବାରୁ ନଦୀର ଜଳ ସ୍ଥର ବୃଦ୍ଧି ପାଇବା ଫଳରେ ରେଙ୍ଗାଲି ଜଳଭଣ୍ଡାରର ଜଳସ୍ଥର ମଧ୍ୟ ହଟାତ ବୃଦ୍ଧି ପାଇଛି । ଏହାର ପ୍ରଭାବରେ ରେଙ୍ଗାଲି ନଦୀବନ୍ଧ କଡରେ ଥିବା ଅନେକ ବୁଡି ଗ୍ରାମରେ ଜଳସ୍ଥର ମାଡି ଆସିଥିବାବେଳେ ଗ୍ରାମ ଛାଡ଼ିନଥିବା ଅନେକ ପରିବାର ଏବେ ଜଳବନ୍ଦୀ ହୋଇ ଫସିରହିଥିବା ଖବର ହସ୍ତଗତ ହୋଇଛି ।

ସୂଚନା ଅନୁଯାୟୀ, ବାରକୋଟ ବ୍ଲକ ରାଇତାବାହାଲ ପଂଚାୟତ ଅନ୍ତର୍ଗତ ସୁନାମୁଣ୍ଡା ଗ୍ରାମ ରେଙ୍ଗାଲି ଜଳଭଣ୍ଡାର ନିର୍ମାଣପରେ ବୁଡି ଘୋଷଣା କରାଯାଇଥିଲା । ମାତ୍ର ଜଳସେଚନ ବିଭାଗ ପକ୍ଷରୁ ଗ୍ରାମବାସୀଙ୍କୁ ଥଇଥାନ କରାଯାଇନଥିଲା । ଗ୍ରାମର କିଛି ଲୋକଙ୍କୁ ଶାଗମାଛ ଦରରେ କ୍ଷତିପୂରଣ ପ୍ରଦାନ କରି ସେମାନଙ୍କୁ ବିସ୍ଥାପିତ କରାଯାଇଥିବାବେଳେ ଅନେକ ଏଥିରୁ ବଞ୍ଚିତ ହୋଇ ବୁଡି ଗ୍ରାମ ଛାଡ଼ିନଥିଲେ । ରାଜସ୍ବ ବିଭାଗ ପକ୍ଷରୁ ବୁଡ଼ୀଗ୍ରାମରେ ରହୁଥିବା ଗ୍ରାମବାସୀଙ୍କୁ ଅନ୍ୟତ୍ର ସ୍ଥାନାଂତର ପାଈଁ ପୂର୍ବରୁ ପ୍ରୟାସ କରାଜିଥିଲେ ହେଁ ଜଳସେଚନ ଓ ରେଙ୍ଗାଲି ଜଳଭଣ୍ଡାର ବିସ୍ଥାପିତ ଥଇଥାନ ଦେବଗଡ଼ ଜୋନ କାର୍ୟ୍ୟାଳୟର ଅସହଯୋଗ ଯୋଗୁଁ ଏହା ସମ୍ଭବ ହୋଇପାରିନାହିଁ । ବୁଧୁବାର ରାତିରୁ ସୁନାମୁଣ୍ଡା ଗ୍ରାମରେ ଜଳ ଭଣ୍ଡାର ପାଣି ପଶିବା ଆରମ୍ଭ ହୋଇଥିବାବେଳେ ଗୁରୁବାର ଉକ୍ତ ଗ୍ରାମରେ ଜଳଭଣ୍ଡାରର ଜଳସ୍ଥର ବୃଦ୍ଧି ପାଇବା ଫଳରେ ଗ୍ରାମରେ ୧୧ଟି ପରିବାର ଜଳବନ୍ଦୀ ହୋଇ ରହିଥିବା ଜଣାପଡିଛି ।

ଏସମ୍ପର୍କରେ ସୂଚନା ପାଇ ସନ୍ଦ୍ୟାରେ ବାରକୋଟ ତହସିଲଦାର ରାଜୀବ ଲୋଚନ ବେହେରା ଓ ବିଡିଓ ଟୁନୁ ମେହେର ବିଭାଗୀୟ କର୍ମଚାରୀଙ୍କ ସହ ଉକ୍ତ ଗ୍ରାମରେ ପହଂଚି ଜଳବନ୍ଦୀ ପରିବାରଙ୍କୁ ଉଦ୍ଧାର ପ୍ରକ୍ରିୟା ଆରମ୍ଭ କରିଥିବା ସୂଚନା ମିଳିଛି । ସେହିପରି ଜଳବନ୍ଦୀରୁ ଉଦ୍ଧାର ପରିବାରଙ୍କୁ ନିକଟସ୍ଥ କଦଳିପାଳ ଗ୍ରାମର ସ୍କୁଲରେ ଆଶ୍ରୟଦେଇ ସେମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇବାର ବ୍ୟବସ୍ଥା କରାଯିବ ବୋଲି ତହସିଲଦାର ରାଜୀବ ଲୋଚନ ବେହେରା ପ୍ରକାଶ କରିଛନ୍ତି ।