କରୋନା ମୁକାବିଲା ପାଇଁ ୧୧ କୋଟି ସଂଗ୍ରହ କଲେ ବିରୁଷ୍କା

ନୂଆଦିଲ୍ଲୀ, ଏଜେନ୍ସି: ସେଲିବ୍ରିଟି ଦମ୍ପତ୍ତି ବିରୁଷ୍କା କରୋନା ମୁକାବିଲା ପାଇଁ ୧୧ କୋଟିର ସହାୟତା ରାଶି ସଂଗ୍ରହ କରିଛନ୍ତି। ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ପକ୍ଷରୁ ଏହି ମହତ ଅଭିଯାନ ଆରମ୍ଭ କରାଯାଇଥିଲା। କେଟୋ ଜରିଆରେ ଉଭୟ ବିରାଟ ଏବଂ ଅନୁଷ୍କା ଏହି ଅଭିଯାନ ଆରମ୍ଭ କରିବା ସହିତ ମାତ୍ର ଦୁଇଦିନ ମଧ୍ୟରେ ୧୧ କୋଟି ଟଙ୍କା ସଂଗ୍ରହ କରିବାରେ ସମର୍ଥ ହୋଇଛନ୍ତି। କୋଭିଡ୍ ସହାୟତା ପାଇଁ ୭ କୋଟି ଟଙ୍କାର ଅର୍ଥରାଶି ସଂଗ୍ରହ ଲକ୍ଷ୍ୟରେ ସେମାନଙ୍କ ପକ୍ଷରୁ ଏହି ଅଭିଯାନ ଆରମ୍ଭ କରାଯାଇଥିଲା। ବୁଧବାର ଏମ୍ପିଏଲ ସ୍ପୋର୍ଟସ୍ ପକ୍ଷରୁ ୫ କୋଟି ଟଙ୍କାର ସହାୟତା କରାଯିବା ସହିତ ସମୁଦାୟ ୧୧ କୋଟିର ଅର୍ଥରାଶି ସଂଗୃହୀତ ହୋଇଥିଲା। ମେ ୭ ତାରିଖରେ ବିରୁଷ୍କାଙ୍କ ପକ୍ଷରୁ ଏହି ଅଭିଯାନ ଆରମ୍ଭ କରାଯାଇଥିଲା। ପ୍ରଥମ ଦିନରେ ୩.୬୦ କୋଟି ଟଙ୍କାର ଅର୍ଥରାଶି ସଂଗୃହୀତ ହୋଇଥିଲା। ବିରାଟ-ଅନୁଷ୍କା ନିଜ ପକେଟ୍ରୁ ୨ କୋଟି ଟଙ୍କା ଦାନ କରିଥିଲେ। ସଂଗୃହୀତ ଅର୍ଥରାଶି ଏସିଟି ଗ୍ରାଣ୍ଟସ୍କୁ ଯିବ। ଏସିଟି ଗ୍ରାଣ୍ଟସ୍ ଦେଶରେ କରୋନା ମୁକାବିଲାରେ ମୁଖ୍ୟ ଭୂମିକା ଗ୍ରହଣ କରିବା ସହିତ ଯୁଦ୍ଧକାଳୀନ ଭିତ୍ତିରେ ଅମ୍ଲଜାନ ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି।
ଏମପିଏଲ୍ ସ୍ପୋର୍ଟସ୍ ପକ୍ଷରୁ ୫ କୋଟିର ସହାୟତା ମିଳିବା ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ଟ୍ୱିଟ୍ କରି ଏମପିଏଲ୍ ସ୍ପୋର୍ଟସ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଧନ୍ୟବାଦ ଏମପିଏଲ୍ ସ୍ପୋର୍ଟସ। କୋଭିଡ୍-୧୯ ମୁକାବିଲାରେ ଆପଣଙ୍କର ଏହି ଅବଦାନ ଅତ୍ୟନ୍ତ ପ୍ରଶଂସନୀୟ। ଆପଣଙ୍କ ସହାୟତାରେ ଆମର ଲକ୍ଷ୍ୟ ପୂରଣ ହେବା ସହିତ ୧୧ କୋଟିର ଅର୍ଥରାଶି ସଂଗୃହୀତ ହୋଇଛି। ଆପଣଙ୍କର ଏହି ସହାୟତା ପାଇଁ ଅନୁଷ୍କା ଏବଂ ମୁଁ ଆପଣଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରୁଛୁ ବୋଲି କୋହଲି ଟ୍ୱିଟ୍ କରିଛନ୍ତି।