ମୋବାଇଲ୍ ପାଇଁ ଆତ୍ମହତ୍ୟା କଲା ଦଶମ ଛାତ୍ର

ସାଲେପୁର,ଏନ୍ଏନ୍ଏସ୍: ସାଲେପୁର ଅଞ୍ଚଳରେ ଅଜି ଏକ ଦୁଃଖଦ ଘଟଣା ଘଟିଯାଇଛି। ବାପ ମା’ ମୋବାଇଲ ନଦେବାରୁ ଜଣେ ଦଶମ ଶ୍ରେଣୀର ଛାତ୍ର କୀଟନାସକ ପିଇ ଆତ୍ମହତ୍ୟା କରିବା ଜଣାଯାଇଛି। ଏହି ଦୁଃଖଦ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

ଖବରରୁ ପ୍ରକାଶ ଯେ ସ୍ଥାନୀୟ ସାଲେପୁର ବ୍ଲକ୍‌ର କୋଲଣପୁର ପଞ୍ଚାୟତ କୁଳିଆ ଗ୍ରାମର ଦଶମ ଶ୍ରେଣୀରେ ପାଠ ପଢୁଥିବା ଜୀବନପ୍ରତାପ ସେଠୀ ମୋବାଇଲ୍ ପାଇଁ ତାଙ୍କ ବାପା ମା’ଙ୍କ ପାଖରେ ଜିଦ୍ କରିଥିଲା ବାପା ମା’ ମୋବାଇଲ୍ ଦେବାରେ ବିଳମ୍ବ କରିବାରୁ ଜୀବନ ରାଗିଯାଇ ସାଲେପୁର ସାପ୍ତାହିକ ହାଟରୁ କୀଟନାଶକ ଆଣି ପିଇଦେଇଥିଲା। ତାକୁ ତାଙ୍କ ପରିବାର ଲୋକେ ଗୁରୁତ୍ୱର ଅବସ୍ଥାରେ ଉଦ୍ଧାର କରି କଟକ ବଡ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ୩ ଦିନ ଧରି ଚିକିତ୍ସିତ ହେବାପରେ ଆଜି ଚିକିତ୍ସାଧିନ ଅବସ୍ଥାରେ ତାହାର ମୃତ୍ୟୁ ଘଟିଛି। ଏହି ଘଟଣା କୁଳିଆ ଗ୍ରାମ ସମେତ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।