ମାଲକାନଗିରି, ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ.ପି.ଭି-୮୧ ଗ୍ରାମର ଟ୍ୟୁସନ ଶିକ୍ଷକ ଜଣେ ଛାତ୍ରୀଙ୍କୁ ମାଡ଼ ମାରିବାରୁ ଏହି ଅପମାନକୁ ସହ୍ୟ କରିନପାରି ଛାତ୍ରୀ ଜଣକ ଆତ୍ମହତ୍ୟା ଉଦ୍ୟମ କରିଛି। ସ୍ଥାନୀୟ ବିଦ୍ୟାଳୟର ପ୍ରଧାନଶିକ୍ଷକ କୃତିବାସ ସାମନ୍ତରାୟ ଦଶମ ଶ୍ରେଣୀର ଛାତ୍ରୀ ରଶ୍ମୀତା ହାଲଦାରଙ୍କୁ ନିସ୍ତୁକ ମାଡ କମାରିଥିବା ଅଭିଯୋଗ ହୋଇଛି। ସୋମବାର ଦିନ ଛାତ୍ରୀଙ୍କ ଦାଦାଙ୍କ ବାହାଘର ଥିବାରୁ ଛାତ୍ରୀ ଜଣକ ସେହି ଦିନ ଟ୍ୟୁସନ ଯାଇନଥିଲେ।
ପରେ ମଙ୍ଗଳବାର ଦିନ ଟ୍ୟୁସନ ଯାଇଥିବା ବେଳେ ଶିକ୍ଷକ ଜଣକ କିଛି ନ ପଚାରି ଅପମାନିତ କରିବା ସହ ନିସ୍ତୁକ ମାଡ ମାରିଥିଲେ। ପରେ ସେଠାରେ ପାଠପଢ଼ୁଥିବା ଅନ୍ୟ ସହପାଠୀଙ୍କୁ ସଂପୃକ୍ତ ଛାତ୍ରୀଙ୍କ ବହିଖାତା ଫୋପାଡ଼ି ଦେବାକୁ କହିଥିଲେ। ଆଗକୁ ଦଶମ ଶ୍ରେଣୀ ପରୀକ୍ଷା ଥିବାରୁ ଘରକୁ ଫେରି ଛାତ୍ରୀ ଜଣକ କିପରି ପାଠ ପଢ଼ିବ ଓ ଉତୀର୍ଣ୍ଣ ହେବ ଚିନ୍ତା କରିବା ସଙ୍ଗେ ସଙ୍ଗେ ଟ୍ୟୁସନ ବାରଣ କରାଯାଇଥିବା ବିଷୟ ଭାବି ଘରେ ଥିବା କିଛି ଔଷଧ ସେବନ କରିଦେଇଥିଲେ। ଏହା ପରିବାରବର୍ଗ ଜାଣିବା ପରେ ଏମ.ପି.ଭି-୮୩ ଗ୍ରାମରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ କରାଇଥିଲେ। ତେବେ ଏ ସମ୍ପର୍କରେ ସଂପୃକ୍ତ ଶିକ୍ଷକଙ୍କୁ ପଚାରିବାରୁ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।