ମହାରାଷ୍ଟ୍ର ବୋର୍ଡର ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ: ପାସ୍ ହାର ୯୯.୯୫ ପ୍ରତିଶତ, ଛାତ୍ରୀ ଆଗୁଆ

ମୁମ୍ବାଇ,ଏଜେନ୍ସି: ମହାରାଷ୍ଟ୍ର ରାଜ୍ୟ ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ବୋର୍ଡର ଆଜି ଦଶମ ଶ୍ରେଣୀ ପରୀକ୍ଷା ଫଳ ଘୋଷଣା କରାଯାଇଛି। ଏଥିସହିତ ଉକ୍ତ ବୋର୍ଡରେ ସବୁଠାରୁ ଅଧିକ ପାସ ହାର ରେକର୍ଡ କରାଯାଇଛି। ରାଜ୍ୟର ପାସ ହାର ୯୯.୯୫ ପ୍ରତିଶତ ହୋଇଛି। ରାଜ୍ୟର ୯ଟି ଡିଭିଜନରୁ କୋଂକଣର ଛାତ୍ରଛାତ୍ରୀ ଶହେ ପ୍ରତିଶତ ରେଜଲ୍ଟ କରି ତାଲିକାରେ ଟପରେ ରହିଛନ୍ତି। ସେହିପରି ନାଗପୁର ୯୯.୮୪ ପ୍ରତିଶତ ସହିତ ତାଲିକାର ଶେଷରେ ରହିଛି। ଅମରାବତି ୯୯.୯୮ ପ୍ରତିଶତ ରେଜଲ୍ଟ କରି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ମୁମ୍ବାଇ, ପୁନେ, ଔରଙ୍ଗାବାଦ, ନାସିକ ଓ ଲାତୁରରେ ପସ ହାର ୯୯.୯୬ ପ୍ରତିଶତ ରହିଛି।

ବୋଡର ସୂଚନା ଅନୁସାରେ ଚଳିତ ଥର୯୫୭ ଜଣ ଛାତ୍ରଛାତ୍ରୀ ୧୦୦ ପ୍ରତିଶତ ରେଜଲ୍ଟ କରିଥିବା ବେଳ ଝିଅମାନେ ବହୁତ ଭଲ ମାର୍କ ରଖିଛନ୍ତି। ଛାତ୍ରଙ୍କ ମଧ୍ୟରେ ୯୯.୯୪ ପ୍ରତିଶତ ପାସ ହାର ରହିଥିବା ବେଳେ ଛାତ୍ରୀଙ୍କ ମଧ୍ୟରେ ୯୯.୯୬ ପ୍ରତିଶତ ପାସ ହାର ରହିଛି। ତେବେ ୧୬.୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଚଳିତ ବର୍ଷ ଦଶମ ବୋର୍ଡ ପରୀକ୍ଷା ଦେଇଥିଲେ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମହାରାଷ୍ଟ୍ର ସରକାର ଦଶମ ଶ୍ରେଣୀ ପରୀକ୍ଷାକୁ ବାତିଲ କରିଥିଲେ। ଏଥିସହିତ ଛାତ୍ରଛାତ୍ରୀଙ୍କ ନବମ ଶ୍ରେଣୀ ମାର୍କ ଓ ଦଶମ ଶ୍ରେଣୀର ଇନଟରନାଲ ମାର୍କକୁ ଆଧାର କରି ମୂଲ୍ୟାୟନ କରିବାକୁ ଘୋଷଣା କରାଯାଇଥିଲା। ସେହିପରି ଯଦି କେହି ଏଥିରେ ଅସନ୍ତୁଷ୍ଟ ହୁଅନ୍ତି ତେବେ ସେମାନେ ପୁଣି ଥରେ ସିଇଟି ପରୀକ୍ଷା ଦେଇପାରିବେ।