ପାଟଣା,ଏନ୍ଏନ୍ଏସ୍: ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ ଉପଲକ୍ଷେ ସାରା ଦେଶ ଉତ୍ସବ ମୁଖର ହୋଇଉଠିଛି। ସେଥିରୁ ବାଦ ପଡ଼ିନାହିଁ କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳ। ପାଟଣା ବ୍ଲକ ମୁଖ୍ୟାଳୟ ନିକଟସ୍ଥ ବହୁ ପୁରାତନ ବିଜେ ଶ୍ରୀ ଶ୍ରୀ ଆନନ୍ଦେଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଥିବା ଶ୍ରୀ ରାମ ମନ୍ଦିରରେ ବୁଧବାର ସକାଳୁ ପାଟଣା ଅଞ୍ଚଳର ରାମଭକ୍ତମାନେ ହନୁମାନ ଚାଳିଶା ପାଠ କରିବା ସହ ୧୦୮ ପ୍ରଦୀପ ପ୍ରଜ୍ୱଳନ କରିଛନ୍ତି। ଏଥିସହିତ ଅଯୋଧ୍ୟାରେ ସୁରୁଖୁରୁରେ ଶ୍ରୀରାମ ମନ୍ଦିରର ନିର୍ମାଣ ପାଇଁ ମଙ୍ଗଳ କାମନା କରିଥିଲେ। ଏହି ଅବସରରେ ରାମଭକ୍ତ ଅରୁଣ କୁମାର ମିଶ୍ର, ସନାତନ ଦାଶ, ଲକ୍ଷ୍ମଣ କୁମାର ପତି, ଦିନବନ୍ଧୁ ମିଶ୍ର, ଦୁର୍ଗାଚରଣ ନାଏକଙ୍କ ସମେତ ବହୁ ଭକ୍ତ ଉପସ୍ଥିତ ଥିଲେ। ସଂନ୍ଧ୍ୟାରେ ହନୁମାନ ଚାଳିଶା ପାଠ ସହିତ ଭଜନ କୀର୍ତ୍ତନ ଅନୁଷ୍ଠିତ ହେବ ବୋଲି ରାମଭକ୍ତମାନେ କହିଛନ୍ତି।