ଜିଲ୍ଲାର ୧୦୩ ଜଣ ସହଭାଗୀଙ୍କୁ ମିଳିଲା ସାଇକେଲ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ଜିଲ୍ଲାର ୨ଟି ପୌରାଞ୍ଚଳର ୧୦୩ଜଣ ସହଭାଗୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସାଇକେଲ ମିଳିଛି । ଏଥିରେ ନବରଙ୍ଗପୁର ପୌରାଞ୍ଚଳର ୫୬ଜଣ ଓ ଉମରକୋଟ ପୌରାଞ୍ଚଳର ୪୭ଜଣ ସ୍ୱୟଂ ସହାୟିକା ସାମିଲ ରହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସି କାର୍ଯ୍ୟକ୍ରମ ମାଧ୍ୟମରେ ଏହାର ଶୁଭାରମ୍ଭ କରିଛନ୍ତି । ଜଳ ସାଥୀ, ଆହାର କର୍ମୀ, ସ୍ୱଚ୍ଛକର୍ମୀ,ସ୍ୱଚ୍ଛ ସାଥୀ ଓ ସ୍ୱଚ୍ଛ ସୁପରଭାଇଜର ମା’ମାନଙ୍କୁ ସାଇକେଲ ବଣ୍ଟନ କରାଯାଇଛି । ଏହାଦ୍ୱାରା କର୍ମଜୀବୀ ମହିଳାଙ୍କ ଯାତାୟତ ସହଜ ହେବ ବୋଲି ନବରଙ୍ଗପୁର ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଗୋଷ୍ଠୀ ସହଭାଗିତା ଉତ୍ସବରେ ଯୋଗଦେଇ ଅତିଥିମାନେ ପ୍ରକାଶ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସାଂସଦ ରମେଶ ଚନ୍ଦ୍ର ମାଝୀ, ସମ୍ମାନୀତ ଅତିଥିଭାବେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ପୌର ପରିଷଦ ଅଧ୍ୟକ୍ଷ କୁନୁ ନାୟକ, ଉପାଧ୍ୟକ୍ଷା ସୌମ୍ୟା ମହାପାତ୍ର ଓ ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ । ପୌର ପରିଷଦର ବରିଷ୍ଠ କର୍ମଚାରୀ ଜ୍ୟୋତି ପରିଚ୍ଛା ମଞ୍ଚ ସଂଯୋଜନା କରିଥିବାବେଳେ ପୌର ପରିଷଦର ବହୁ କାଉନସିଲର ଉପସ୍ଥିତ ଥିଲେ । କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ୍ ଧନ୍ୟବାଦ ଦେଇଥିଲେ ।