ଦିଲ୍ଲୀରେ ନିର୍ମାଣ ହେଲା ୧୦ ହଜାର ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର

ନୂଆଦିଲ୍ଲୀ,ଏଜେନ୍ସି: ମହାରାଷ୍ଟ୍ର ପରେ ଦିଲ୍ଲୀରେ ମଧ୍ୟ କରୋନା ସଂକ୍ରମଣ ସଂଖ୍ୟା ଦ୍ରୁତଗତିରେ ବଢ଼ିଚାଲିଛି। ଫଳରେ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୮୦ ହଜାର ଅତିକ୍ରମ କରିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ୧୦ ହଜାର ଶଯ୍ୟା ବିଶିଷ୍ଟ କୋଭିଡ ସେଣ୍ଟର ନିର୍ମାଣ କରାଯାଇଛି। ତେବେ ଏହା ବିଶ୍ୱର ସର୍ବବୃହତ୍ତ କୋଭିଡ କେୟାର ସେଣ୍ଟର ହୋଇଥିବା ବେଳେ ସର୍ଦ୍ଦାର ପଟେଲଙ୍କ ନାମରେ ନାମକରଣ ହୋଇଛି। ପାଖାପାଖି ୧୦ ହଜାର ଶଯ୍ୟା ବିଶିଷ୍ଟ ଏହି ସେଣ୍ଟରକୁ ଗୃହମନ୍ତ୍ରୀ ଅମିତ ଶାହା ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପରିଦର୍ଶନ କରିଛନ୍ତି। ଏବେ ସୁଦ୍ଧା ୨ ହଜାର ଶଯ୍ୟା ପସ୍ତୁତ ହୋଇଥିବା ବେଳେ ଖୁବ୍ ଶୀଘ୍ର ବାକି ୮ ହଜାର ଶଯ୍ୟା ପ୍ରସ୍ତୁତ ହେବ ଏବଂ ଆଗାମୀ ୨ ରୁ ୩ ଦିନ ମଧ୍ୟରେ ଏହା କାମ କରିବ ବୋଲି କେଜ୍ରିୱାଲ କହିଛନ୍ତି।

ଦିଲ୍ଲୀର ଛତରପୁର ଅଞ୍ଚଳରେ ରାଧା ସ୍ୱାମୀ ସତ୍‌ସଂଗ ବ୍ୟାସର ୨୫ ଏକର ଜମିରେ ଏହି କୋଭିଡ଼ ସେଣ୍ଟର ନିର୍ମିତ ହୋଇଛି। ସେହିପରି ଆଇଟିବିପି ଏହି କୋଭିଡ ସେଣ୍ଟରର ଦାୟିତ୍ୱ ନେଇଛି। ଏଠାରେ ମୋଟ ୮୭୫ ଜଣ ଡାକ୍ତର ଓ ସମାନ ପରିମାଣରେ ମେଡିକାଲ କର୍ମଚାରୀ ରହିବେ। ପାଖାପାଖି ୧୦ ପ୍ରତିଶତ ରୋଗୀଙ୍କ ପାଇଁ ଅକ୍ସିଜେନ୍ ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି।