ବିଶ୍ୱ ଅର୍ଥନୈତିକ ମଞ୍ଚର ୫୦ତମ ବାର୍ଷିକ ବୈଠକ: ଯୋଗଦେବେ ୧୦୦ ଭାରତୀୟ ସିଇଓ

ନୂଆଦିଲ୍ଲୀ,ଏଜେନ୍ସି: ଆସନ୍ତା ଜାନୁଆରୀ ୨୦୨୦ରେ ସ୍ୱିଜରଲାଣ୍ଡର ସ୍କାଇ ରିସର୍ଟ ସହର ଡାଭୋସ୍ରେ ଅନୁଷ୍ଠିତ ହେବାକୁ ଯାଉଛି ବିଶ୍ୱ ଅର୍ଥନୈତିକ ମଞ୍ଚ(ଡବ୍ଲୁଇଏଫ୍)ର ୫୦ତମ ବାର୍ଷିକ ଅଧିବେଶନ। ଏହି ବୈଠକରେ ପ୍ରାୟ ୧୦୦ ଜଣ ଭାରତୀୟ ସିଇଓଙ୍କ ସମେତ ବହୁ ରାଜନେତା ଏବଂ ବଲିଉଡ୍ ତାରକା ଯୋଗ ଦେବେ । ଆଗାମୀ ଦିନରେ ବିଶ୍ୱ ଅର୍ଥନୀତି ବ୍ୟବସ୍ଥାକୁ ସୁଦୃଢ କରିବା ସହିତ ଏକ ସ୍ଥାୟୀ ରୂପ ଦେବା ନେଇ ଏହି ଅଧିବେଶନରେ ସବିଶେଷ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଥିଲା ବେଳେ ବିଶ୍ୱର ବହୁ ପ୍ରତିପତ୍ତିଶାଳୀ ବ୍ୟକ୍ତି , ଉଦ୍ୟୋଗୀ, ବ୍ୟବସାୟୀଙ୍କ ସମେତ କମ୍ପାନୀ ମୁଖ୍ୟମାନେ ଯୋଗ ଦେଉଥିବା ଜଣାପଡ଼ିଛି।

ଏହି ସମ୍ମିଳନୀରେ ୨୦୨୦ ବର୍ଷର ଅନୁଚିନ୍ତା ‘ଷ୍ଟେକ୍ ହୋଲଡର୍ସ ଫର୍ ଏ କୋହେସିଭ୍ ଆଣ୍ଡ ସଷ୍ଟେନେବଲ୍ ୱାର୍ଲଡ’ ରଖାଯାଇଛି। ପ୍ୟାରିସ୍ ଚୁକ୍ତି ଅନୁସାରେ ବିଶ୍ୱସ୍ତରରେ ସ୍ଥାୟୀ ଅଭିବୃଦ୍ଧି ହାସଲ କରିବା ସହିତ ବୈଷୟିକ କ୍ଷେତ୍ର ଏବଂ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ କରି ସରକାରୀ ଏବଂ ଆନ୍ତର୍ଜାତିକ ସଂସ୍ଥାମାନଙ୍କ ମଧ୍ୟରେ ସମନ୍ୱୟ ଆଣିବା ନେଇ ଏହି ମଞ୍ଚରେ ଆଲୋଚନା କରାଯିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କ ସମେତ ବିଶ୍ୱର ବିଭିନ୍ନ ଭାଗରୁ ୩୦୦୦ ପ୍ରତିନିଧି ଯୋଗ ଦେବା ନେଇ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଥିବା ବେଳେ ଅଧିବେଶନ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ଅନ୍ୟ ପ୍ରତିନିଧିମାନଙ୍କ ତାଲିକା ସମ୍ପର୍କରେ ଘୋଷଣା କରାଯିବ।

ଏହି ସମ୍ମିଳନୀରେ ଯୋଗ ଦେବା ପାଇଁ ଯେଉଁ ଭାରତୀୟ ପ୍ରତିନିଧିମାନେ ପଞ୍ଜିକରଣ କରିଛନ୍ତି ସେମାନଙ୍କ ମଧ୍ୟରେ ମୁଖ୍ୟତଃ ଗୌତମ ଆଦାନୀ, ମୁକେଶ ଅମ୍ବାନୀ, ରାହୁଲ ଓ ସଞ୍ଜୀବ ବଜାଜ୍, କୁମାର ମଙ୍ଗଳମ୍ ବିର୍ଲା, ଟାଟା ଗ୍ରୁପ୍ର ଏନ୍ ଚନ୍ଦ୍ରଶେଖର, ସଜ୍ଜନ୍ ଜିନ୍ଦଲ, ଉଦୟ କୋଟକ୍, ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ରଜନୀଶ କୁମାର, ଆନନ୍ଦ ମହିନ୍ଦ୍ରା, ସୁନିଲ ମିତ୍ତଲ, ରବି ରୁଇଆ, ପୱନ୍ ମୁଞ୍ଜଲ, ନନ୍ଦନ ନିଲେକାନି, ଇନଫୋସିସର ସଲିଲ ପରେଖ, ଅଜୟ ପିରାମଲ୍, ରିସଦ୍ ପ୍ରେମଜୀ, ଅଜୟ ସିଂ, ପିରୋଜ୍ସା ଗୋଦରେଜଙ୍କ ନାମ ରହିଛି। ସେହିପରି ବଲିଉଡ୍ ତାରକାଙ୍କ ମଧ୍ୟରେ ଲାଇଭ୍ ଲଭ୍ ଲାଫ୍ ଫାଉଣ୍ଡେସନ୍ର ପ୍ରତିଷ୍ଠାତା ଦୀପିକା ପାଦୁକୋନଙ୍କ ନାମ ମଧ୍ୟ ପଞ୍ଜିକୃତ ହୋଇଛି।

ଗ୍ଲୋବାଲ ବିଜନେସ୍ ଲିଡରମାନଙ୍କ ମଧ୍ୟରେ ମାଇକେଲ ଡେଲ, ଜେମ୍ସ ଡାଇମନ୍, ପୁନିତ୍ ରେଞ୍ଜେନ୍, ଆଇବିଏମ୍ର ଗିନି ରୋମେଟି, ଫେସବୁକ୍ ପକ୍ଷରୁ ସେରିଲ ସାଣ୍ଡବର୍ଗ, ନୋକିଆ ପକ୍ଷରୁ ରାଜୀବ ସୁରି ରହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ବିଶ୍ୱ ବ୍ୟବସାୟ ଏବଂ ବାଣିଜ୍ୟ କ୍ଷେତ୍ରକୁ ନେଇ ଏହି ମଞ୍ଚ ସବିଶେଷ ଭୂମିକା ଗ୍ରହଣ କରିଥିବା ବେଳେ ୨୦୨୦ ଜାନୁଆରୀ ୨୦ ରୁ ୨୪ ପର୍ଯ୍ୟନ୍ତ ଏହି ସମ୍ମିଳନୀ ଡାଭୋସ୍ରେ ଅନୁଷ୍ଠିତ ହେବ।