ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପାଟଣାଗଡ଼ରୁ ସୋମବାର ୧୦୦ ପେଟି ନକଲି କଫ୍ ସିରପ ଜବତ ହୋଇଛି। ଏଥିରେ ୧୮ହଜାରରୁ ଅଧିକ କଫ୍ ସିରପ ବୋତଲ ଥିବା ଜଣାଯାଇଛି। ତେବେ ଏହି କଫ୍ ସିରପକୁ ନିଶା ପାଇଁ ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି।
ମିଳିଥିବା ସୂଚନା ଅନୁଯାୟୀ, ପାଟଣାଗଡ଼ ଥାନାର ଲୁଇସିଂହାର ଏକ ଗୋଦାମରୁ ୧୦୦ଟି ପୋଟିରେ ୧୮ହଜାରରୁ ଅଧିକ ନକଲି କଫ୍ ସିରପ ବୋତଲ ଜବତ କରିବା ସହ ଏହାକୁ ରଖିଥିବା ବ୍ୟକ୍ତି ଫେରାର ହୋଇଯାଇଛି। ତେବେ ସେ କିପରି ଏବଂ କେଉଁଠାରୁ ଏତେ ମାତ୍ରରେ କଫ୍ ସିରପ ବୋତଲ ଆଣିଲା ତା’ର ତଦନ୍ତ ଆରମ୍ଭ କରିଛି ପାଟଣାଗଡ଼ ପୁଲିସ।
ଏହାଛଡ଼ା ଫେରାର ଅଭିଯୁକ୍ତକୁ ଧରିବାଲାଗି ପୁଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଦୁଇ ଦିନ ତଳେ ବଲାଙ୍ଗିରରୁ ୧୦ ହଜାରରୁ ଅଧିକ ବୋତଲ କଫ୍ ସିରପ ଜବତ ହୋଇଥିଲା। ଜିଲ୍ଲା ପ୍ରଶାସନର ତତ୍ପରତା ସତ୍ତ୍ୱେ କଫ୍ ସିରପ ଚାଲାଣ ବନ୍ଦ ହେଉନଥିବାର ଅଭିଯୋଗ ହେଉଛି।