ଜାମ୍ମୁ-କାଶ୍ମୀରରୁ ତୁରନ୍ତ ହଟିବେ ସିଏପିଏଫର ୧୦ ହଜାର ଯବାନ

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ-କାଶ୍ମୀରରୁ ଅର୍ଦ୍ଧସାମରିକ ବାହିନୀର ୧୦ ହଜାର ଯବାନଙ୍କୁ ତୁରନ୍ତ ପ୍ରତ୍ୟାହାର କରାଯିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ବୁଧବାର ସରକାରୀସ୍ତରରେ ଏହା ଘୋଷଣା କରାଯାଇଛି। ଏହି କେନ୍ଦ୍ରଶାସିତ ଅଞ୍ଚଳରୁ ଏତେ ସଂଖ୍ୟାରେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ପ୍ରତ୍ୟାହାର କରାଯିବା ଏହା ହେବ ପ୍ରଥମ। ଉଲ୍ଲେଖଯୋଗ୍ୟ ଗତବର୍ଷ ଅଗଷ୍ଟ ମାସରେ ଜାମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ସମୟରେ ସେଠାକୁ ୧୦ ହଜାର ଅତିରିକ୍ତ ଯବାନଙ୍କୁ ପଠାଯାଇଥିଲା। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏହି କେନ୍ଦ୍ରଶାସିତ ଅଞ୍ଚଳରେ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ) ମୁତୟନ ସମ୍ପର୍କରେ ସମୀକ୍ଷା କରିବା ପରେ ଏଭଳି ନିଷ୍ପତ୍ତି ନେଇଛି।

ଗତ ମେ’ ମାସରେ କାଶ୍ମୀରରୁ ୧୦ କମ୍ପାନୀ ପ୍ରତ୍ୟାହାର କରାଯାଇଥିଲା। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଚଳିତ ସପ୍ତାହ ସୁଦ୍ଧା ଜାମ୍ମୁ-କାଶ୍ମୀରରୁ ୪୦ କମ୍ପାନୀ ସିଆରପିଏଫ ଏବଂ ୨୦ କମ୍ପାନୀ ସିଆଇଏସଏଫ୍, ୨୦ କମ୍ପାନୀ ବିଏସଏଫ ଓ ୨୦ କମ୍ପାନୀ ସଶସ୍ତ୍ର ସୀମାବଳ (ଏସଏସବି)ଙ୍କୁ ପ୍ରତ୍ୟାହାର କରାଯିବ। ଏହି ୟୁନିଟଗୁଡିକୁ ଦିଲ୍ଳୀକୁ ପଠାଇବା ପାଇଁ ବିମାନର ବ୍ୟବସ୍ଥା କରିବାକୁ ସିଆରପିଏଫକୁ କୁହାଯାଇଛି।

ତେବେ ଏହି କେନ୍ଦ୍ରଶାସିତ ଅଞ୍ଚଳରେ ଆତଙ୍କବାଦ ନିରୋଧୀ ୟୁନିଟଗୁଡିକୁ ରଖାଯାଇ ଗତବର୍ଷ ସେଠାକୁ ପଠାଯାଇଥିବା ଅତିରିକ୍ତ ୟୁନିଟଗୁଡିକୁ ଫେରାଇ ଅଣାଯିବ। ସେମାନଙ୍କୁ ଅଧିକ ତାଲିମ ଦିଆଯିବା ସହିତ ବିଶ୍ରାମ ଦେବା ପାଇଁ ଏଭଳି ପଦକ୍ଷେପ ନିଆଯାଉଛି ବୋଲି ସିଏପିଏଫର ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି। ସେ ଆହୁରି କହିଛନ୍ତି, ଆଗକୁ ଶୀତଋତୁ ଆସୁଥିବାରୁ ଏହି ୟୁନିଟଗୁଡିକୁ ଏଠାରେ ରଖିବା କଷ୍ଟକର ହୋଇପଡିବ। କାରଣ କଶ୍ମୀର ଉପତ୍ୟକାରେ ସେମାନଙ୍କ ପାଇଁ ଅସ୍ଥାୟୀ ବ୍ୟବସ୍ଥା କରାଯାଇଥିଲା।