ଭୁବନେଶ୍ୱର,ଏନ୍ଏନ୍ଏସ୍: ଦୁର୍ନୀତିରେ ଲିପ୍ତ ରହିଲେ ଦଣ୍ଡ ଭୋଗିବା ଯେ ନିଶ୍ଚିତ ତାହା ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର କଡ଼ା କାର୍ଯ୍ୟାନୁଷ୍ଠାନରୁ ଜଳ ଜଳ ହୋଇ ଦିଶୁଛି। ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ଦୁର୍ନୀତି ବିରୋଧରେ ଗ୍ରହଣ କରିଥିବା କଠୋର ଆଭିମୁଖ୍ୟ ଯୋଗୁଁ କେବଳ ଗୋଟିଏ ମାସରେ ୧୦ଜଣ ସରପଞ୍ଚଙ୍କୁ ପଦ ହରାଇବାକୁ ପଡ଼ିଛି। ଏମାନଙ୍କ ମଧ୍ୟରେ ପଞ୍ଚାୟତଠାରୁ ଆରମ୍ଭ କରି ଜିଲ୍ଲାସ୍ତରର କର୍ମଚାରୀ ଅଛନ୍ତି। ପ୍ରମାଣ ମିଳିଲେ ଆଗାମୀ ଦିନରେ ଆହୁରି କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶ୍ରୀ ଜେନା ସତର୍କ କରାଇ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି ହଟାଇବାପାଇଁ ‘ଜିରୋ ଟଲେରାନ୍ସ’ ଘୋଷଣା କରିଥିବା ବେଳେ ବିଭାଗରେ ‘ମୋ ସରକାର’ ଓ ‘୫-ଟି’ ଲାଗୁ କରାଯାଇଛି। ଦୁର୍ନୀତି ଆଭାସ ପାଇବା ମାତ୍ରେ କାର୍ଯ୍ୟାନୁଷ୍ଠାନ ଲାଗି ବିଭାଗୀୟ ମନ୍ତ୍ରୀ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଛନ୍ତି। ତଦନୁଯାୟୀ କେବଳ ଜାନୁୟାରୀ ମାସରେ ୧୦ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଏମାନଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ କରକଟ୍ନାସା ପଞ୍ଚାୟତର ସରପଞ୍ଚ ଇଗ୍ନେସିଅସ ହାରୋ ରହିଛନ୍ତି। ନିଜ ପଞ୍ଚାୟତରେ ଷ୍ଟ୍ରିଟ ଲଗାଇବାରେ ଦୁର୍ନୀତି ଯୋଗୁଁ ତାଙ୍କ ବିରୋଧରେ ହୋଇଛି ନିଲମ୍ବନ ଭଳି କଡ଼ା କାର୍ଯ୍ୟାନୁଷ୍ଠାନ। ସେହିଭଳି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୁଲଣ ପଞ୍ଚାୟତର ସରପଞ୍ଚ ଅଲିଭା ପଲେଇ ଓ ଶୋଷ ପଞ୍ଚାୟତର ସରପଞ୍ଚ କାଞ୍ଚନ ନାୟକ ଆର୍ଥିକ ଅନିୟମିତତା କରି ନିଲମ୍ବିତ ହୋଇଛନ୍ତି।
ଭଦ୍ରକ ଜିଲ୍ଲାର ଭଦ୍ରକ ବ୍ଲକ ବେଟରା ପଞ୍ଚାୟତର ସରପଞ୍ଚ ବିମ୍ବାଧର ଦାସ ଦୀର୍ଘଦିନ ଧରି ପଞ୍ଚାୟତ ବୈଠକ ଡାକୁ ନଥିବା ଅଭିଯୋଗ ଆସିବାପରେ ତାଙ୍କ ବିରୋଧରେ ବି ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବରଗଡ଼ ଜିଲ୍ଲାର ବରଗଡ଼ ବ୍ଲକ କଳାପାଣି ପଞ୍ଚାୟତର ସରପଞ୍ଚ କେ.ଭି.ରେଡ୍ଡୀ ସରକାରୀ ଅର୍ଥ ହଡ଼ପ କରି ନିଲମ୍ବିତ ହୋଇଥିବାବେଳେ ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ହଳଦୀପାଲ ପଞ୍ଚାୟତର ସରପଞ୍ଚ ମଙ୍ଗଲ ହାଂସଦା ବେଆଇନ୍ ସଙ୍କଳ୍ପ ପାରିତ କରି ଧରାପଡ଼ିବାପରେ ନିଲମ୍ବିତ ହୋଇଛନ୍ତି। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକର ପାତ୍ରପଡ଼ା ପଞ୍ଚାୟତର ସରପଞ୍ଚ ଦୁଃଶାସନ ବିଶ୍ୱାଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ବଣ୍ଟନରେ ଅନିୟମିତତା କରି ନିଲମ୍ବିତ ହୋଇଥିବାବେଳେ ବାଲେଶ୍ୱର ଜିଲ୍ଲା ସୋର ବ୍ଲକର କେଦାରପୁର ପଞ୍ଚାୟତର ସରପଞ୍ଚ ଅଭିମନ୍ୟୁ ଜେନା ହିତାଧିକାରୀଙ୍କୁ ଠିକଣା ସମୟରେ ବିଲ୍ ଅର୍ଥ ପ୍ରଦାନ ନକରିବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି। ସେହିଭଳି ଜଳେଶ୍ୱର ବ୍ଲକର କୋଟସାହି ସରପଞ୍ଚ ମୁବାଳା ଓରଫ ମୁଲତା ପ୍ରଧାନ ପଲ୍ଲିସଭା ନଡାକିବା ସହିତ ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି। କଟକ ଜିଲ୍ଲା ନିଆଳି ବ୍ଲକ ଅନଲ ପଞ୍ଚାୟତ ସରପଞ୍ଚ ସ୍ନିଗ୍ଧା ମହାନ୍ତି ଆର୍ଥିକ ଅନିୟମିତତା କରି ନିଲମ୍ବିତ ହୋଇଛନ୍ତି।
ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗରେ ‘ଜିରୋ ଟଲେରାନ୍ସ’ ନୀତି ଗ୍ରହଣ କରାଯାଇଥିବାବେଳେ ଆଗକୁ ଯିଏ ବି ସାମାନ୍ୟ ଦୁର୍ନୀତି କରିବାର ପ୍ରମାଣ ମିଳିବ ତାହା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଭାଗୀୟ ମନ୍ତ୍ରୀ ଶ୍ରୀ ଜେନା ସତର୍କ କରାଇଦେବା ସହିତ ଅଧିକାରୀମାନଙ୍କୁ ଏହି ମର୍ମରେ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି।