୧୦ ଟଙ୍କାରେ ଉପରାଷ୍ଟ୍ରପତି!

ବିଶ୍ୱାସ ନହେଲେ ବି ସତ। ଉପରାଷ୍ଟ୍ରପତି ଭୈରୋଁ ସିଂ ଶେଖାୱତ ପତ୍ନୀ ସୁରଜ କନୱାରଙ୍କଠାରୁ ୧୦ ଟଙ୍କା ଆଣି ରାଜନୈତିକ ଜୀବନ ଆରମ୍ଭ କରିଥିଲେ ଏବଂ ଶେଷରେ ଉପରାଷ୍ଟ୍ରପତି ଭଳି ବଡ଼ ପଦବୀରେ ଅଧିଷ୍ଠିତ ହୋଇଥିଲେ। ଖାଲି ସେତିକି ନୁହେଁ ୧୯୫୨ରେ ପ୍ରଥମ ନିର୍ବାଚନ ପ୍ରଚାରରେ ମଧ୍ୟ ସେ ମାତ୍ର ୩୭ ଟଙ୍କା ବ୍ୟୟ କରିଥିଲେ। ବଡ଼ ଆଶ୍ଚର୍ଯ୍ୟର କଥା ମାତ୍ର ୩୭ ଟଙ୍କା ଖର୍ଚ୍ଚ କରି ସେ ଦାନ୍ତା ରାମଗଡ଼ ନିର୍ବାଚନ-ମଣ୍ଡଳୀରୁ ବିଜୟ ଲାଭ କରିଥିଲେ। ୧୦ ଟଙ୍କା ପାଇଁ ସେ ଉପରାଷ୍ଟ୍ରପତି ହୋଇପାରିଥିଲେ ବୋଲି ପତ୍ନୀ କନୱାରଙ୍କ ଦାବିକୁ ସେ ସାଦରେ ଗ୍ରହଣ କରିଛନ୍ତି। ଲୋକପ୍ରତିନିଧିଭାବେ ନିର୍ବାଚିତ ହେବା ପୂର୍ବରୁ ସେ ଭାରତୀୟ ଜନସଂଘରେ ରହି ବିଭିନ୍ନ ପ୍ରକାର ଦଳୀୟ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଲୋକପ୍ରିୟତା ଓ ଜନକଲ୍ୟାଣ କାର୍ଯ୍ୟ ଯୋଗୁଁ ସେ ୧୯୫୨ରୁ ୧୯୭୨ ପର୍ଯ୍ୟନ୍ତ ବିଭିନ୍ନ ନିର୍ବାଚନମଣ୍ଡଳୀରୁ ରାଜସ୍ଥାନ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ରାଜସ୍ଥାନର ଶିକାର ଜିଲ୍ଲା ଅନ୍ତର୍ଗତ କାଞ୍ଚାରିଆୱାସ ଗ୍ରାମର ଏକ ଦରିଦ୍ର ପରିବାରରେ ଜନ୍ମ ହୋଇଥିବା ଶେଖାୱତ ନିଜର ଅଧ୍ୟବସାୟ, ଲୋକପ୍ରିୟତା ପାଇଁ ରାଜନୈତିକ ଜୀବନର ପାହାଚ ପରେ ପାହାଚ ଅତିକ୍ରମ କରି ଉପରାଷ୍ଟ୍ରପତି ପଦରେ ଅଧିଷ୍ଠିତ ହୋଇପାରିଥିଲେ। ପରିବାରର ଅନ୍ୟ ସାତ(୭) ଭାଇଭଉଣୀଙ୍କ ଭରଣପୋଷଣ ପାଇଁ ୧୯୪୩ରେ ସେ ୯ ବର୍ଷ ପାଇଁ ପୁଲିସ ବାହିନୀରେ ଜଣେ ସବ୍ଇନ୍ସପେକ୍ଟରଭାବେ ମଧ୍ୟ କାର୍ଯ୍ୟ କରିଥିଲେ।