ହୋମ କ୍ୱାରେଣ୍ଟାଇନ ଆଦେଶ ଅମାନ୍ୟ କରି ଦମ୍ପତି ଓ ଲକଡାଉନ ଅମାନ୍ୟ କରି ୮ ଯୁବକ ଗିରଫ

ଦେବଗଡ଼,ଏନ୍ଏନ୍ଏସ୍: କରୋନା ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତା ଉଦ୍ଦେଶ୍ୟରେ ସାରା ଦେଶକୁ ଲକଡାଉନ କରାଯାଇଥିବା ବେଳେ ଏହି ନିୟମକୁ ଅନେକ ଅମାନିଆ ଉଲଂଘନ କରୁଛନ୍ତି। ଫଳରେ ନିଜ ଜୀବନ ସହ ଅନ୍ୟର ଜୀବନ ପ୍ରତି ବିପଦ ସାଜୁଛନ୍ତି। ଏ ନେଇ ପ୍ରତ୍ୟେକ ଦିନ ବିଭିନ୍ନ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯାଉଥିବା ବେଳେ କେତେକ ଜନସାଧାରଣ ସୁଧିୁରିବାର ନାଁ ନେଉ ନାହାନ୍ତି।

ଫଳରେ ପ୍ରତ୍ୟେକ ଦିନ ପୁଲିସ ପକ୍ଷରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହି କ୍ରମରେ ଦେବଗଡ଼ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଲକଡାଉନ ଅମାନ୍ୟ କରିବା ଅଭିଯୋଗରେ ଗତ ୨୪ ଘଣ୍ଟା ମଧ୍ୟରେ ଦେବଗଡ଼ ଥାନାରେ ଗୋଟିଏ, ରିଆମାଳ ଥାନାରେ ୨ଟି, ବାରକୋଟ ଥାନାରେ ଗୋଟିଏ ଓ କୁେଇଗୋଳା ଥାନାରେ ୫ଟି ଲେଖାଏଁ ମୋଟ ୯ଟି ମାମଲା ରୁଜୁ ହେବା ସହ ଦମ୍ପତ୍ତିଙ୍କ ସମେତ ୧୦ ଜଣ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି।

ସେମାନଙ୍କ ଠାରୁ ୧୦ ଟି ବାଇକ ଓ ୪୧ ଲିଟର ଦେଶୀ ମଦ ପାଉଚ ଜବତ କରାଯାଇଛି। ପୁଲିସ ସୂଚନା ଅନୁଯାୟୀ ଲକଡାଉନ ଅମାନ୍ୟ କରି ବେଆଇନ ଭାବେ ବାଇକରେ ଏଣେ ତେଣେ ବୁଲୁଥିବା କାରଣରୁ କୁଣ୍ଢେଇଗୋଳା ଥାନା ପୁଲିସ ୫ଟି ବାଇକ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିଥିଲା। ସେହିପରି ବାରକୋଟ ଥାନା ପୁଲିସ ୩ଟି ବାଇକ ଜବତ କରିବା ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା।

ସେହିପରି ରିଆମାଳ ଥାନା ପୁଲିସ ଲକଡାଉନ ସମୟରେ ୨ଟି ବାଇକ ଜବତ କରିବା ସହ ରେଙ୍ଗାଲବେଡା ଗ୍ରାମର ପ୍ରଶାନ୍ତ କୁମାର ସାହୁ ନାମକ ଜଣେ ଯୁବକଙ୍କ ନିକଟରୁ ବେଆଇନ ଭାବେ ୪୧ ଲିଟର ଦେଶୀ ମଦ ଜବତ କରି ତାଙ୍କୁ ଗିରଫ କରିଛି। ଅନ୍ୟ ପକ୍ଷରେ ଦେବଗଡ଼ ଥାନା ଅନ୍ତର୍ଗତ ଶରଣକୂଳ ଗ୍ରାମର ସୋନୁ ସେଠ ଓ ତାଙ୍କ ସ୍ତ୍ରୀ ରିଙ୍କଲ ସେଠ ଗତ ୮ ତାରିଖ ଦିନ ଭୁବନେଶ୍ୱରରୁ ନିଜ ଗ୍ରାମକୁ ଫେରିବା ପରେ ପଡୋଶୀ ଏବଂ ଗ୍ରାମବାସୀଙ୍କ ଠାରୁ ଅଭିଯୋଗ ପାଇ ବ୍ଲକ୍ ପ୍ରଶାସନ ପକ୍ଷରୁ ଉକ୍ତ ଦମ୍ପତିଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖାଯାଇଥିଲା। ମାତ୍ର ପ୍ରଶାସନର ନିର୍ଦ୍ଦେଶକୁ ଅମାନ୍ୟ କରି ଉକ୍ତ ଦମ୍ପତି ଘରେ ନ ରହି ଗ୍ରାମରେ ବୁଲାବୁଲି କରୁଥିଲେ।

ଏ ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ବ୍ଲକ୍ ପ୍ରଶାସନ ସେମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କୈାଣସି ସୁଫଳ ନ ମିଳିବାରୁ ଗତକାଲି ତିଲେଇବଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ସରଭିଲେନ୍ସ ଅଧିକାରୀ କୃଷ୍ଣ ଚନ୍ଦ୍ର ଦଳପତ ଏ ନେଇ ଦେବଗଡ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଦେବଗଡ ଥାନା ପୁଲିସ ଏକ ମାମଲା ରୁଜୁ କରି ଉକ୍ତ ଦମ୍ପତିଙ୍କୁ ଗିରଫ କରି ପ୍ରଥମେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଆଇସୋଲେସନ ସେଣ୍ଟରରେ ଭର୍ତ୍ତି କରିଥିଲେ। ତେବେ ଆଜି ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସେମାନଙ୍କୁ ପଞ୍ଚାୟତ ମୁଖ୍ୟାଳୟରେ ଖୋଲାଯାଇଥିବା ଆଇସୋଲେସନ ସେଣ୍ଟରକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।