ମାଲକାନଗିରିରୁ ପୁଣି ୧୦ଜଣ କରୋନା ପଜିଟିଭ ଚିହ୍ନଟ: ମାସ୍କ ବ୍ୟବହାର ଉପରେ ପ୍ରଶାସନର କଡ଼ା ନଜର

ମାଲକାନଗିରି,ଏନ୍ଏନ୍ଏସ୍:ମାଲକାନଗିରି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁଦିନ ବୃଦ୍ଧି ପାଉଥିବାବେଳେ ଆଜି ପୁଣି ୧୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୬କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୫୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୫୪ଜଣ ଚିକିତ୍ସାଧୀନ ଅଛନ୍ତି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୮ଜଣ ମାଲକାନଗିରି ବ୍ଲକର ଏମଭି-୦୭ସ୍ଥିତ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରର ହୋଇଥିବାବେଳେ ଜଣେ ସେଠାରେ କାର୍ଯ୍ୟରତ ପରିଚାରକ ଓ ଅନ୍ୟଜଣେ ମାଲକାନଗିରି ପୌର ପରିଷଦ ଅଂଚଳ ବାସିନ୍ଦା ରହିଛନ୍ତି। ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରର ୮ଜଣ ତାମିଲନାଡ଼ୁ ଓ ନୂଆଦିଲ୍ଲୀ ଫେରନ୍ତା ବୋଲି ଜଣାପଡ଼ିଛି । ବର୍ତ୍ତମାନ ସମୟରେ ସେମାନଙ୍କର କଣ୍ଟାକ୍ଟ ଟ୍ରେସିଙ୍ଗ ଚାଲିଥିବା ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ପ୍ରଥମକରି ପୌର ପରିଷଦ ଅଂଚଳର ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଥିବାରୁ ପ୍ରଶାସନର ଚିନ୍ତା ବଢ଼ିଯାଇଛି। ସେଥିପାଇଁ ସଂପୃକ୍ତ ଅଂଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇ ସାଧାରଣ ଲୋକଙ୍କ ଚଳପ୍ରଚଳ ଉପରେ କଟକଣା ଲଗାଯାଇଛି।

ଆଜିଠାରୁ ଅନଲକ-୨ ଆରମ୍ଭ ହେବା ଯୋଗୁ ଜିଲ୍ଲା ସଦର ମହକୁମାରେ ମାସ୍କ ପରିଧାନକୁ କଡ଼ାକଡ଼ି ପାଳନ କରିବାକୁ ଜୋର ଦିଆଯାଇଛି। ମାଲକାନଗିରି ସହରର ବିଭିନ୍ନ ଛକରେ ପଥଚାରୀମାନେ ମାସ୍କ ପିନ୍ଧିଛନ୍ତି କି ନାହିଁ ପୁଲିସ କର୍ମଚାରୀମାନେ ଯାଂଚ କରୁଥିବା ଦେଖାଯାଇଛି। ଏଥିସହିତ ସ୍ଥାନୀୟ ତହସିଲଦାର ଦୋକାନ ଦୋକାନ ବୁଲି ଦୋକାନୀ ଓ ଗ୍ରାହକ ମାସ୍କ ପିନ୍ଧି ନଥିଲେ ଜୋରିମାନା ଆଦାୟ କରୁଥିବା ମଧ୍ୟ ଦେଖିବାକୁ ମିଳିଛି।