ନିଲାମ ହେବ ଓଡ଼ିଶାର ୧୦ଟି ଖଣି, ବିଜ୍ଞପ୍ତି ଜାରି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଖଣି ନିଲାମ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ଅନୁମୋଦନ ପରେ ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଏହ ପରିପ୍ରେକ୍ଷୀରେ ପ୍ରାଥମ ପର୍ୟ୍ୟାୟରେ ୧୦ଟି ଲୁହାପଥର ଓ ମାଙ୍ଗାନିଜ ଖଣି ନିଲାମ କରାଯିବ। ସେଗୁଡ଼ିକ ହେଲା ନୂଆଗାଁ ଲୁହା ପଥର ଖଣି, ଠାକୁରମୁଣ୍ଡା ଲୁହା ପଥର, ସିଲିଯୋରା-କାଳିମାଟି ଲୁହା ଓ ମାଙ୍ଗାନିଜ୍ ବ୍ଲକ୍, ଜିଲିଂ-ଲାଙ୍ଗାଲୋଟା ଲୁହା ପଥର, ଜରିବାହାଲ ଲୁହାପଥର, ରୋଇଡ଼ା-୨ ଲୁହା ପଥର, ଜୁରୁରୀ ଲୁହା ପଥର, ନାରାୟଣପୋଷୀ ଲୁହା ପଥର ଓ ମାଙ୍ଗାନିଜ୍, ମହୁଲୁଖା ଲୁହା ପଥର ଓ ମାଙ୍ଗାନିଜ୍ ଓ ଗଣୁଆ ଲୁହା ପଥର ଖଣିକୁ ନିଲାମ କରାଯିବ।

ସେହିପରି ଏହି ଖଣିଗୁଡ଼ିକର ନିଲାମ କରିବା ପାଇଁ ଟେଣ୍ଡର ବାହାର କରାଯାଇଛି। ଏହି ଟେଣ୍ଡରର ଆବେଦନ କରିବା ପାଇଁ ଫି ବାବଦରେ ୫ଲକ୍ଷ ଟଙ୍କା ଦାଖଲ କରିବାକୁ ପଡ଼ିବ ଏବଂ ନଭେମ୍ବର ୧୫ ତାରିଖରୁ ୧୮ ତାରିଖ ଭିତରେ ଟେଣ୍ଡର ପକାଇବା ପାଇଁ ଧାର୍ୟ୍ୟ କରାଯାଇଛି। ଖଣି ନିଲାମି ବିଷୟରେ ବିସ୍ତୃତ ବିବରଣୀ ପାଇଁ ଏମଏସଟିସି ଲିମିଟେଡ ୱେବସାଇଟରେ ଲଗ୍ ଇନ୍ କରି ଆବେଦନ ଫର୍ମ ଡାଉନଲୋଡ କରିବାକୁ ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଜଣାଇ ଦିଆଯାଇଛି।