ବ୍ୟାଙ୍କ ଲକର କାଟି ୧୦ଲକ୍ଷ ଲୁଟ୍

କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ପଳାଶପଙ୍ଗାସ୍ଥିତ ଓଏସ୍ଆଇଏଲ୍ ପରିସରରେ ଥିବା ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଶାଖାରୁ ଦୁର୍ବୃତ୍ତ ବ୍ୟାଙ୍କ୍ ଲକର କାଟି ୧୦ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ଖୁଚୁରା ପଇସା ବସ୍ତାକୁ ନେଇ ନପାରି ଛାଡ଼ି ଚାଲି ଯାଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ସୋମବାର ପଳାଶପଙ୍ଗା ଓଏସ୍ଆଇଏଲ୍ ପରିସରରେ ଥିବା ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଶାଖା ଖୋଲିବା ପରେ ଲକରକୁ ଗ୍ୟାସ୍ କଟର୍ ସାହାଯ୍ୟରେ କଟାଯାଇ ଟଙ୍କା ଲୁଟ୍ ହୋଇଥିବା ଜଣାପଡ଼ିଥିଲା।

ଗତ ଶୁକ୍ରବାର ବ୍ୟାଙ୍କ କାରବାର ପରେ ଟଙ୍କାକୁ ଲକରରେ ରଖା ଯାଇଥିଲା। ଶନିବାର ଓ ରବିବାର ବ୍ୟାଙ୍କ ବନ୍ଦ ରହିବା ଏବଂ ଲଗାଣବର୍ଷାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଟଙ୍କା ଲୁଟି ନେଇଛନ୍ତି। ଏ ସମ୍ପର୍କରେ ବ୍ୟାଙ୍କ ତରଫରୁ ଥାନାରେ ଅଭିଯୋଗ ହେବା ପରେ ବରିଷ୍ଠ ପୁଲିସ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ଯାଞ୍ଚ ଆରମ୍ଭ କରିଛନ୍ତି। ଓଏସ୍ଆଇଏଲ୍ ପରିସର ବ୍ୟାଙ୍କ ଶାଖା ଅନେକ ସମୟରେ ନିଛାଟିଆ ରହୁଥିବାରୁ ଏହାର ସୁଯୋଗରେ ପେସାଦାର ଡକାୟତମାନେ ଏହି କାଣ୍ଡ ଭିଆଇଥିବା ଅନୁମାନ କରାଯାଉଛି।