୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୯ ଗିରଫ

ଜୟପୁର,ଏନ୍ଏନ୍ଏସ୍: ଲମତାପୁଟର ଜୟପୁର ଅଞ୍ଚଳରୁ ଆଜି ପୁଲିସ ବହୁ ମୂଲ୍ୟର ଗଞ୍ଜେଇ ଜବତ କରିଛି। ସୂଚନା ଅନୁସାରେ ଜୟପୁର ସଦର ପୁଲିସ ଏକ ଧଳା ରଙ୍ଗର ବଲେରୋ ଜିପ୍ ସହ ୧୦୨ କିଲୋ ଗଞ୍ଜେଇ ଜବତ କରିଛି। ଏଥିସହିତ ଚୋରା ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ୯ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜିଲ୍ଲା ରାମଗଞ୍ଜ ଗ୍ରାମର ମହମ୍ମଦ ଇଲିୟାସ(୨୬) ଓ ମହମ୍ମଦ ସାଦାରାମ(୨୭), ସାହେରୁଆ ଗ୍ରାମର ମହମ୍ମଦ ରମକସଙ୍କନ(୧୯), ଲାଳଗଞ୍ଜ ଜିଲ୍ଲା ଛିତ୍ରିର ମହମ୍ମଦ ଆନସ୍(୨୪), ଆହ୍ଲାବାଦ ଜିଲ୍ଲା ରାଇପୁର ଗ୍ରାମର ଗୌରୀ ଶଙ୍କର ପ୍ରଜାପତି(୨୫), ରାଇବରେଲି ଜିଲ୍ଲା କାରିଆବାଜରର ମହମ୍ମଦ ଆଶରଫ୍(୨୬), କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା କୁମ୍ଭାରିପୁଟ ଗ୍ରାମର ମଦନ ହନ୍ତାଳ(୨୪), ଟିକାପୁଟର ସୁଦାମ ପୁଜାରୀ(୨୦) ଓ ନନ୍ଦପୁର ଥାନା ଗୁଣ୍ଠାପୁଟର ଧନପତି ପାଙ୍ଗି(୧୯)।

ଲମତାପୁଟର ଜୟପୁର ଆଡକୁ ଆସୁଥିବା ବୋଲେରୋ ଜିପରେ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ଜୟପୁର ସଦର ଥାନା ପୁଲିସକୁ ମିଳିଥିଲା। ସୂଚନା ମୁତାବକ ଜୟପୁର ସଦର ଥାନା ଭାରପ୍ରାପ୍ତ ଅଧିକାରୀ ଏ. ମହାକୁଡ, ସବ-ଇନ୍ସପେକ୍ଟର୍, ଏନ କେ ଟପ୍ପୋ ଓ ଅନ୍ୟମାନେ ବ୍ରାହ୍ମଣୀଗାଁ ଛକ ନିକଟରେ ଉକ୍ତ ଗାଡିକୁ ଅପେକ୍ଷା କରି ରହିଥିଲେ। ବୋଲେରୋ ଆସିବା ମାତ୍ରେ ପୁଲିସ ଟିମ୍ ଅଟକାଇ ଯାଞ୍ଚ କରିବା ପରେ ଗାଡିରେ ୧୦୨ କିଲୋଗ୍ରାମ ଗଞ୍ଜେଇ ମିଳିଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ଏଥିସହିତ ପୁଲିସ ପୁଲିସ ଗାଡିରେ ଗଞ୍ଜେଇ ଚାଲାଣରେ ବ୍ୟବହୃତ ବୋଲେରୋ, ୭ଟି ମୋବାଇଲ୍ ଫୋନ୍ ଓ ନଗଦ ୧ ଲକ୍ଷ ୪୯ ହଜାର ୪୦୦ ଟଙ୍କା ଜବତ କରିଛି।