ମାଲକାନଗିରି,ଏନ୍ଏନ୍ଏସ୍: ଲକଡାଉନ ଯୋଗୁଁ ବିଭିନ୍ନ ସ୍ଥାନରେ ଫସି ରହିଥିବା ଶ୍ରମିକଙ୍କ ପାଇଁ ସରକାରଙ୍କ ପକ୍ଷରୁ ମାଗଣା ଖାଦ୍ୟ ସହ ଆଶ୍ରୟ ବ୍ୟବସ୍ଥା କରାଯାଇଛି। ତଥାପି ଦୀର୍ଘ ଦିନ ଧରି କାମଧନ୍ଦା ନପାଇ ଖାଲିରେ ବସିଥିବା ଶ୍ରମିକ ଘରମୁହାଁ ହେଉଛନ୍ତି। ଏଭଳି ସ୍ଥିତିରେ ଲକଡାଉନ ନିୟମକୁ ଉଲଂଘନ କରି ଘରକୁ ଫେରିଥିବା ଶ୍ରମିକଙ୍କୁ ପ୍ରଶାସନ ତରଫରୁ କ୍ୱାରେଣ୍ଟାଇନରେ ରଖାଯାଇଛି। ମିଳିଥିବା ରିପୋର୍ଟ ମୁତାବକ ନବରଙ୍ଗପୁର କସାଗୁମୁଡ଼ା ବ୍ଲକର ମୁରଲିଗୁଡ଼ା ଗ୍ରାମର ୧୦ଜଣ ଶ୍ରମିକ କିଛି ଦିନ ହେବ କୌଣସି କାମ ଧନ୍ଦା ନପାଇବାରୁ ଠିକାଦାରଙ୍କୁ କହି ୫ଟି ନୂଆ ସାଇକେଲ କିଣି ସେଥିରେ ନିଜ ଘର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଗୋଟିଏ ଗୋଟିଏ ସାଇକେଲରେ ଦୁଇଜଣ ଲେଖାଏଁ ବସି ଏମ୍.ଭି- ୭୯ଠାରୁ କାଲିମେଳା, ପୋଟେରୁ ଦେଇ ପ୍ରାୟ ୭୫ କିମି ରାସ୍ତା ଅତିକ୍ରମ କରି ମାଲକାନଗିରି ସହର ନିକଟସ୍ଥ ଚମ୍ପାଖାରୀ ନିକଟରେ ପହଁଚିଥିଲେ। ଏହି ଖବର ପାଇ ମାଲକାନଗିରି ତହସିଲଦାର ଡା.ଗୁଣନିଧି ନାୟକ ଏବଂ ପୁଲିସ ସେମାନଙ୍କୁ ଚମ୍ପାଖାରୀଠାରେ ଅଟକାଇ ନିକଟସ୍ଥ ସିନ୍ଧ୍ରିମାଳ ପଞ୍ଚାୟତର ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ କ୍ୱାରେଣ୍ଟାଇନରେ ରଖିଛନ୍ତି। ସେଠାରେ ସେମାନଙ୍କ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ମାଲକାନଗିରି ବିଡିଓ, ଥାନା ଆଇଆଇସି, ତହସିଲଦାର ସେମାନଙ୍କ ନିକଟରେ ପହଁଚି କୌଣସି ଭୟ ନକରି ୧୪ଦିନ କ୍ୱାରେଣ୍ଟାଇନରେ ରହିବା ସମୟରେ କିଛି ଲକ୍ଷଣ ଦେଖା ନ ଗଲେ ପ୍ରଶାସନ ତରଫରୁ ନିଜ ଗ୍ରାମକୁ ପଠାଇ ଦିଆଯିବ ବୋଲି ବୁଝାଇଥିଲେ।