ଓଜେୟୁ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୦ ଦଫା ସମ୍ବଳିତ ଦାବୀପତ୍ର ପ୍ରଦାନ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ଜିଲ୍ଲା ‘ଓଡ଼ିଶା ସାମ୍ୱାଦିକ ସଂଘ’(ଓଜେୟୁ) ପକ୍ଷରୁ ‘ଜାତୀୟ ସମ୍ବିଧାନ ଦିବସ’ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୦ ଦଫା ସମ୍ବଳିତ ଦାବୀପତ୍ର ଜିଲ୍ଲାପାଳ ଡ଼ା. କମଳଲୋଚନ ମିଶ୍ରଙ୍କ ଜରିଆରେ ପ୍ରଦାନ କରାଯାଇଛି । ଓଜେୟୁ ରାଜ୍ୟ ସଂଗଠନ ତରଫରୁ ପ୍ରତି ଜିଲ୍ଲାରୁ ଏମିତି ଦାବୀପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିବା ପାଇଁ ରାଜ୍ୟ ସଭାପତି ଶଶୀଭୂଷଣ ପ୍ରହରାଜ, ସମ୍ପାଦକ କେ. ଶ୍ରୀନିବାସ ରାଓ ଓ ରାଜ୍ୟ ନେତୃତ୍ୱ ମଣ୍ଡଳୀ ତରଫରୁ ନିଷ୍ପତ୍ତି ନିଆଯାଇଥିଲା । ଏଥିରେ ସାମ୍ୱାଦିକଙ୍କ ସୁରକ୍ଷା ଆଇନ କଡ଼ାକଡ଼ି କରିବା, ଗୋପବନ୍ଧୁ ବିମା ଯୋଜନାରେ ସାମ୍ବାଦିକଙ୍କ ବିମାରାଶି ୨ଲକ୍ଷରୁ ଅନୁନ୍ୟ ୫ ଲକ୍ଷକୁ ବୃଦ୍ଧି କରିବା, ସାମ୍ବାଦିକଙ୍କ ମୃତ୍ୟୁକାଳୀନ ଆର୍ଥିକ ସହାୟତା ୪ଲକ୍ଷରୁ ୧୦ଲକ୍ଷକୁ ବୃଦ୍ଧି କରିବା, ସମ୍ବେଦନଶୀଳ ସ୍ଥାନରେ ଏସଓପି ପ୍ରଣୟନ କରି ପ୍ରଶିକ୍ଷଣ ଦେବା, ଅବସରକାଳୀନ ଭତ୍ତା ପ୍ରଦାନ କରିବା, ସରକାରଙ୍କ ଦ୍ୱାରା ବ୍ୟାଙ୍କ ଋଣ ପ୍ରଦାନ ବିଧିରେ ସରଳୀକରଣ କରିବା, ସାମ୍ୱାଦିକ ଅଧିସ୍ୱୀକୃତି ନୀତିରେ ଜିଲ୍ଲା, ଉପଖଣ୍ଡ ଓ ବ୍ଲକସ୍ତର ପର୍ଯ୍ୟନ୍ତ ସାମ୍ବାଦିକଙ୍କୁ ସାମିଲ କରିବା, ସମସ୍ତ କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ପ୍ରେସ କଲୋନୀ ପ୍ରଦାନ କରିବା, ସରକାରୀ ବିଜ୍ଞାପନ ରାଶିରୁ ୨ ଶତକଡ଼ା ଲକ୍ଷ ଆଦାୟ କରି ସାମ୍ୱାଦିକଙ୍କ କଲ୍ୟାଣ ପାଇଁ ବ୍ୟବହାର କରିବା ଓ ସାମ୍ବାଦିକଙ୍କ ସମନ୍ୱୟ ରକ୍ଷା ପାଇଁ ରାଜ୍ୟସ୍ତରରେ କମିଟି ଗଠନ କରି ଅଗ୍ରଣୀ ସାମ୍ବାଦିକ ସଂଗଠନ ଗୁଡ଼ିକର ପ୍ରତିନିଧିଙ୍କୁ ସାମିଲ କରିବା ଇତ୍ୟାଦି ଏହି ଦାବୀପତ୍ରରେ ଉଲ୍ଲେଖ ରହିଛି । ଏହି ଦାବୀପତ୍ର ପ୍ରଦାନ ସମୟରେ ଓଜେୟୁ ସଂଗଠନର ରାଜ୍ୟ ସମ୍ପାଦକ ବାଙ୍କ ବିହାରୀ ବିଷୋୟୀଙ୍କ ନେତୃତ୍ୱରେ ବହୁ ସାମ୍ୱାଦିକ ଅଂଶଗ୍ରହଣ କରିଥିଲେ ।