୧୦ ଫୁଟର ଅଜଗର ଉଦ୍ଧାର

ଗୋଲାମୁଣ୍ଡା,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ଅଧୀନ ମାନଝରୀ ଗ୍ରାମରୁ ଏକ ଅଜଗର ସାପ ଉଦ୍ଧାର କରି କେଗାଁ ବନ ବିଭାଗକୁ ଗ୍ରାମବାସୀ ହସ୍ତାନ୍ତର କରିଥିବା ଜଣାପଡ଼ିଛି। ମାନଝରୀ ଗ୍ରାମଠାରୁ ଡୁଙ୍ଗୁରିଗୁଡା ମୁଖ୍ୟରାସ୍ତା ପାଖ ତଳବନ୍ଧ ନିକଟରେ ଏକ ବିରାଟକାୟ ଅଜଗର ସାପ ଯାଉଥିବା କିଛି ଲୋକ ଦେଖିବାକୁ ପାଇଥିଲେ।

ଏହାକୁ ଦେଖି କିଛି ଯୁବକ ଉକ୍ତ ଅଜଗରକୁ କାବୁ କରି ଧରି ଗାଁକୁ ନେଇଥିଲେ। ଏ ସମ୍ପର୍କରେ ଗ୍ରାମବାସୀ କେଗାଁ ବନ ବିଭାଗକୁ ଖବର ଦେବା ପରେ ଫରେଷ୍ଟର ସିତାରାମ ଶବର ଓ ଗୋଲାମୁଣ୍ଡା ଫରେଷ୍ଟର ସମ୍ପଦ କୁମାର ପହଞ୍ଚି ଉକ୍ତ ଅଜଗର ସାପକୁ ଉଦ୍ଧାର କରିବା ସହିତ ସ୍ଥାନୀୟ ଚୁଡା ପହାଡ଼ରେ ଛାଡିଥିଲେ।

ଉକ୍ତ ସାପର ଆନୁମାନିକ ଲମ୍ବ ୧୦ ଫୁଟ ଓ ଓଜନ ପାଖାପାଖି ୩୦ରୁ ୩୫ କେଜି ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ଦେଖିବା ପାଇଁ ଲୋକଙ୍କ ଗହଳି ହୋଇଥିଲା।