୧୦ ଜିଲ୍ଲାରୁ ଆରମ୍ଭହେବ ନିଶାମୁକ୍ତି ଅଭିଯାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା ଅଗଷ୍ଟ ୧୫ ତାରିଖରୁ ନିଶାମୁକ୍ତ ଅଭିଯାନ ରାଜ୍ୟର ୧୦ଟି ଜିଲ୍ଲାରେ ଆରମ୍ଭ ହେବ। ଏନେଇ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ସଶକ୍ତୀକରଣ ବିଭାଗ ପକ୍ଷରୁ ସମ୍ପୃକ୍ତ ୧୦ ଜିଲ୍ଲାର ଜିଲ୍ଲାପାଳଙ୍କୁ ଗାଇଡଲାଇନ ପ୍ରଦାନ କରାଯାଇଛି। ତେଣୁ ଉପରୋକ୍ତ ଜିଲ୍ଲାଗୁଡ଼ିକରେ ଆସନ୍ତା ଜୁଲାଇ ୩୧ ତାରିଖ ସୁଦ୍ଧା ଜିଲ୍ଲାସ୍ତରୀୟ ନିଶାମୁକ୍ତ କମିଟି ଗଠନ କରିବାକୁ ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ଅନୁଯାୟୀ କଟକ, ମାଲକାନଗିରି, ଅନୁଗୁଳ, ବୌଦ୍ଧ, ଦେବଗଡ଼, ଗଜପତି, କନ୍ଧମାଳ, ପୁରୀ, ରାୟଗଡ଼ା ଓ ସମ୍ବଲପୁର ଜିଲ୍ଲାରେ ଅଗ୍ରାଧିକାର ଭିତ୍ତିରେ ଅଭିଯାନ ଆରମ୍ଭ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟସ୍ତରରେ ଏଥିପାଇଁ ପ୍ରଥମେ ଏକ ନିଶାମୁକ୍ତ କମିଟି ଗଠନ ହେବାକୁ ଥିବା ବେଳେ ଏଥିରେ ସାମାଜିକ ସୁରକ୍ଷା ବିଭାଗର ପ୍ରମୁଖ ସଚିବ ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ଓ ପୁଲିସ ମହାନିର୍ଦ୍ଦେଶକଙ୍କର ପ୍ରତିନିଧି, ସ୍ୱାସ୍ଥ୍ୟ ସଚିବଙ୍କ ପ୍ରତିନିଧି, ଉଚ୍ଚ ଶିକ୍ଷା ବିଭାଗ, ଗଣଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ ଏହି କମିଟିରେ ସଦସ୍ୟ ରହିବେ। ରାଜ୍ୟସ୍ତରରେ ନିଶାମୁକ୍ତ ଅଭିଯାନ ପାଇଁ ରୂପରେଖ ପ୍ରସ୍ତୁତ କରିବା ସହ ନିୟମାବଳୀ ଜିଲ୍ଲାସ୍ତରରେ ସଠିକ ଢଙ୍ଗରେ କାର୍ଯ୍ୟନ୍ୱୟନ ହେଉଛି କି ନାହିଁ ତାହାର ତଦାରଖ କରିବା କମିଟିର ମୁଖ୍ୟ ଦାୟିତ୍ୱ ରହିବ। ସେହିପରି ଅଭିଯାନ ସମ୍ପର୍କିତ ପ୍ରଶିକ୍ଷଣ ଶିବିର, ଅଭିଯାନର ପ୍ରସାର ପ୍ରସାର ଆଦି ଦାୟିତ୍ୱ ରାଜ୍ୟସ୍ତରୀୟ କମିଟି ଉପରେ ରହିବ।