ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ପ୍ରଶାସନପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ଆଜି ୧୦ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ପ୍ରଭାଗୀୟ ଶ୍ରମ ଆୟୁକ୍ତ ମଦନ ମୋହନ ପାଇକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ, ଚାଇଲ୍ଡଲାଇନର ସଦସ୍ୟ ହୃଷିକେଶ ସାହୁଙ୍କ ସମେତ ପୁଲିସ ମିଳିତ ଭାବେ ଜିଲ୍ଲା ସଦର ମହକୁମାର ବିଭିନ୍ନ ସ୍ଥାନରେ ଚଢ଼ଉ କରି ୧୦ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ। ସମସ୍ତ ଉଦ୍ଧାର ଶିଶୁ ଶ୍ରମିକ ମାଲକାନଗିରି ଜିଲ୍ଲାର ବିଭିନ୍ନ ବ୍ଲକର ହୋଇଥିବାବେଳେ ସେଥିମଧ୍ୟରୁ ମୁଦୁଲିପଡ଼ା ଗ୍ରାମର ୩ ଜଣ, ପଣ୍ଡାପାଲ୍ଲୀ ଗ୍ରାମର ୨ ଜଣ, ସତୀଗୁଡ଼ାର ୪ ଜଣ ଓ ଅନ୍ୟ ଜଣେ ଏମଭି-୧୦ ଗ୍ରାମର ବୋଲି ଜଣାପଡ଼ିଛି। ସେମାନଙ୍କୁ ଶିଶୁମଙ୍ଗଳ କମିଟିକୁ ହସ୍ତାନ୍ତର କରାଯାଇଛି। ଏହାପରେ ସେମାନଙ୍କ ଅଭିଭାବକଙ୍କୁ ଡକାଯାଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଅଶୋକ କୁମାର ପଟ୍ଟନାୟକ କହିଛନ୍ତି।