୧୦ ବାଇକ୍ ଚୋର ଗିରଫ, ୧୫ ବାଇକ୍ ଉଦ୍ଧାର

ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଟାଉନ ପୁଲିସକୁ ମିଳିଛି ବଡ଼ ସଫଳତା। ୧୦ଜଣିଆ ବାଇକ ଲୁଟେରା ଗ୍ୟାଙ୍ଗକୁ ପୁଲିସ ଗିରଫ କରିଥିବା ଜଣାଯାଇଛି। ଏହି ସମୟରେ ସେମାନଙ୍କ ନିକଟରୁ ୧୫ଟି ଚୋରି ବାଇକ୍ ଜବତ କରିଛି। ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରାବଣୀ ବିବେକ ଏମ୍ ସୂଚନା ଦେଇଛନ୍ତି। ସହରରେ ପୃଥକ ସ୍ଥାନରେ ୪ଟି ବାଇକ୍ ଚୋରି ହୋଇଥିବାବେଳେ ଏ ସମ୍ପର୍କରେ ଟଉନ ଥାନାରେ ମାମଲା ରୁଜୁ ହୋଇଥିଲା।

ପରେ ଟାଉନ ଥାନା ଏସଆଇ ମାନସ ସାହୁ, ଏସଆଇ ଜେ ବେହେରା ଓ ଏଏସଆଇ କିଶୋରଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ଲୁଟେରାଙ୍କୁ ଠାବ କରିବା ସକାଶେ ଅନୁସନ୍ଧାନ ଅରାମ୍ଭ କରିଥିଲେ। ତେବେ ଶୁକ୍ରବାର ଅଭିଯୁକ୍ତଙ୍କ ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ ଚଢ଼ଉ କରି ସେମାନଙ୍କୁ ଗିରଫ କରିଥିବା ଆରକ୍ଷୀ ଅଧିକ ପ୍ରକାଶ କରିଛନ୍ତି।

ଅଭିଯୁକ୍ତ ହେଲେ ତରୁଣ ପିଡିକା, ଅର୍ଜୁନ ଖୋସ୍ଲା, ଭି ମଣିକାନ୍ତ, ଭଷ୍କର ବେହେରା, ଗୁଜୁରାତି ସୁନୀଲ, ପ୍ରହଲାଦ ହୁଇକା, ସନ୍ତୋଷ ପାତ୍ର, ପି. ଲୋକେଶ, ଏସ୍ଏସ୍ ରାଓ ଓ ବଂଶୀଧର ସାରକା। ବାଇକ୍ ଚୋରି ଘଟଣାରେ ଏହି ୧୦ଜଣ ଲିପ୍ତ ରହିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ଉପରୋକ୍ତ ଅଭିଯୁକ୍ତଙ୍କ ମଧ୍ୟରୁ ୯ଜଣଙ୍କର ରାୟଗଡ଼ା ଟାଉନ ଥାନା ଅଞ୍ଚଳରେ ରହିଥିବାବେଳେ ଅଭିଯୁକ୍ତ ସନ୍ତୋଷ ପାତ୍ରଙ୍କ ଘର କେସିଂପୁର ଥାନା ଅଧୀନସ୍ଥ ପଲ୍କାଲିମା ଗ୍ରମରେ ବୋଲି ଜଣାଯାଇଛି।

ଏହି ଲୁଟିଆ ଗ୍ୟାଙ୍ଗଠୁ ବିଭିନ୍ନ ନାମିଦାମି କମ୍ପନୀର ୧୫ଟି ଚୋରି ବାଇକ ପୁଲିସ ଯବତ କରି ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ତପନ ନାରୟଣ ରଥ, ଏସଆଇ ମାନସ କୁମାର ପ୍ରମୁଖ ଉପସ୍ଥିତ ଥିଲେ।