୨୫ ମୋଟର ସାଇକଲ ଜବତ : ୧୦ ଗିରଫ

ବଲାଙ୍ଗୀର,ଏନଏନଏସ – କଣ୍ଟାବାଞ୍ଜି ପୁଲିସକୁ ଶୁକ୍ରବାର ଏକ ବଡ ଧରଣର ସଫଳତା ମିଳିଛି। ମୋଟର ସାଇକଲ ଚୋରୀ ରାକେଟର ପର୍ଦ୍ଦାଫାସ କରିଛି । ଏହି ରାକେଟରେ ସାମିଲ ଥିବା ଅଭିଯୋଗରେ ପୁଲିସ ୧୦ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ସେମାନଙ୍କୁ ନିକଟରୁ ୨୫ ମୋଟର ସାଇକଲ ଜବତ କରିଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ବ୍ରହ୍ମା ଦାସ (୨୫) , ଚୈତନ୍ୟ ଭାଟି(୨୪) ଘୁବୁଡୁ ଛୁରା(୩୦) ସୁରେନ୍ଦ୍ର ତେଜି(୧୯) ରୋସନ ପଟେଲ(୨୫), ତ୍ରିଲୋଚନ ଭାଟି(୩୨) ଚୁଡାମଣି ତାଣ୍ଡି(୨୯) ,ସାଧୁ ବାଗ(୨୧), ଟିଙ୍କୁ ପଟେଲ(୨୨) ଓ କୁମୁଦ ପଟେଲ(୧୯) । ଏମାନେ ସମସ୍ତେ ନୂଆଁପଡା ଜିଲ୍ଲା ସିନାପାଲି , ବଲାଙ୍ଗୀର ଜିଲ୍ଲା କଣ୍ଠାବଞ୍ଜି, ମୁରିବାହାଲ ଓ ବଙ୍ଗୋମୁଣ୍ଡା ଥାନା ଅଞ୍ଚଳର ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ ଏମାନେ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ମୋଟର ସାଇକଲ ଚୋରି କରୁଥିଲେ ଓ ସେ ସବୁ ବାଇକକୁ ବଙ୍ଗୋମୁଣ୍ଡା ଓ ତୁରେକେଲା ଅଞ୍ଚଳରେ ବିକ୍ରି କରୁଥିଲେ । ତେବେ ଏହି ରାକେଟର ପର୍ଦ୍ଦାଫାସ କରିବା ପାଇଁ ଏସପିଙ୍କ ନିର୍ଦ୍ଧେଶରେ କଣ୍ଟାବାଞ୍ଜି ଏସଡିପିଓ ସରୋଜ ମହାପାତ୍ରଙ୍କ ନେତୃତ୍ୱରେ କଣ୍ଟାବାଞ୍ଜି , ମୁରିବାହାଲ ଓ ବଙ୍ଗୋମୁଣ୍ଡାଙ୍କ ଆଇଆଇସିଙ୍କୁ ନେଇ ଏକ ଟିମ ଗଠନ କରାଯାଇଥିଲା । ଏହି ଟିମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରି ଅଭିଯୁକ୍ତମାନଙ୍କୁ ଧରିବା ସହିତ ସେମାନେ ଚୋରୀ କରିଥିବା ମୋଟର ସାଇକଲ ସବୁକୁ ଜବତ କରିଥିଲା । ବଲାଙ୍ଗିର ଜିଲ୍ଲାରେ ଅପରାଧ ଦମନ ପାଇଁ ଏସପି ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି । ଯୋଜନା ଅନୁଯାୟୀ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ।