କନ୍ଧମାଳର ପ୍ରଥମ କରୋନା ଯୋଦ୍ଧାଙ୍କ ମୃତ୍ୟୁ: ପ୍ରଶାସନ ପକ୍ଷରୁ ଦିଆଗଲା ଗାର୍ଡ଼ ଅର୍ଫ ଅନର

ଫୁଲବାଣୀ,ଚକାପାଦ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲାରେ ଆଜି ଯେଉଁ ୫୨ ଜଣ ନୁଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ଏହି ୨ କରୋନା ମୃତକଙ୍କ ମଧ୍ୟରେ ଜଣେ କରୋନା ଯୋଦ୍ଧା ଅଛନ୍ତି। ସେ ହେଉଛନ୍ତି କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ ଲାଇନପଡ଼ା ଫାଣ୍ଡି ଦାୟିତ୍ୱରେ ଥିବା ଏଏସଆଇ ମହାଜନ ପ୍ରଧାନ। ତାଙ୍କର ପୂର୍ବରୁ ଡାଇବେଟିସ୍ ଥିଲା। ତାଙ୍କର ପ୍ରକୃତ ଘର ଜି.ଉଦୟଗିରି ଥାନା ଅନ୍ତର୍ଗତ ଜିମାଙ୍ଗିଆ ଠାରେ। ସେହିପରି ତାଙ୍କର ସ୍ତ୍ରୀ, ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି।

ଗତ ୨୮ ତାରିଖରେ ସେ ସ୍ୱାବ ରିପୋର୍ଟରେ ପଜିଟିଭ ଚିହ୍ନଟ ହୋଇଥିଲେ। ତେଣୁ ପ୍ରଥମେ ତାଙ୍କୁ ଫୁଲବାଣୀ କୋଭିଡ ମେଡ଼ିକାଲ ଓ ୫ ତାରିଖରେ ଅଧିକ ଚିକିତ୍ସାପାଇଁ ଭୁବନେଶ୍ୱର କୋଭିଡ୍ ହସ୍ପିଟାଲକୁ ନିଆଯାଇଥିଲା। ତେବେ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। କରୋନାରେ ତାଙ୍କର ମୃତ୍ୟୁ ହୋଇଥିବାରୁ ତାଙ୍କର ମର ଶରୀରକୁ ଫୁଲବାଣୀ ଅଣାଯାଇ ପୁଲିସ ବିଭାଗ ପକ୍ଷରୁ ମାଦିକୁନ୍ଦା ରିଜର୍ଭ ପଡ଼ିଆ ଠାରେ ଗାର୍ଡ ଅଫ ଅନର ଦିଆଯାଇଥିଲା।

ଏହି ସମୟରେ ଜିଲ୍ଲାପାଳ ଡା ବୃନ୍ଦା ଡି ଓ ଏସପି ବିନିତ୍ ଅଗ୍ରୱାଲଙ୍କ ସମେତ ଅନ୍ୟ ପୁଲିସ୍ ଅଧିକାରୀମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଦେଇଥିଲେ। ସେହିପରି ଆଜି ଗାର୍ଡ଼ ଅଫ ଅନର ପ୍ରଦାନ ବେଳେ ପରିବାର ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ପରେ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ସାର୍ତ୍ତାଗୁଡ଼ା ଠାରେ ଅନ୍ତିମ ସଂସ୍କାର କରାଯାଇଥିଲା। କରୋନା ଯୋଦ୍ଧାଙ୍କ ମୃତ୍ୟୁକୁ ନେଇ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।