ୟୁପି ସ୍କୁଲରେ ମଧ୍ୟାହ୍ନଭୋଜନ ଅବ୍ୟବସ୍ଥା: ଲିଟରେ କ୍ଷୀରକୁ ପିଉଛନ୍ତି ୮୧ ଛାତ୍ରଛାତ୍ରୀ

ଉତ୍ତରପ୍ରଦେଶ,ଏଜେନ୍ସି : ଗୋଟିଏ ବାଲଟି ପାଣିରେ ମାତ୍ର ଲିଟରେ କ୍ଷୀର ମିଶାଇ ୮୧ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ସମ୍ପର୍କରେ ଅଭିଯୋଗ କରିଛନ୍ତି କୋଟା ଗ୍ରାମପଞ୍ଚାୟତର ୱାର୍ଡ ମେମ୍ବର। ଉତ୍ତରପ୍ରଦେଶର ଚୋପନ ଅଞ୍ଚଳରେ ଅବସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କୁ ଦିଆଯାଉଥିବା ମଧ୍ୟାହ୍ନଭୋଜନ ବ୍ୟବସ୍ଥାକୁ ତୀବ୍ର ସମାଲୋଚନା କରାଯାଇଛି।
ୱାର୍ଡମେମ୍ବରଙ୍କ ସୂଚନାନୁସାରେ, ମଧ୍ୟାହ୍ନଭୋଜନ ବ୍ୟବସ୍ଥାରେ ପିଲାଙ୍କୁ ଭାତ ଓ କ୍ଷୀର ଦିଆଯିବାର ନିର୍ଦ୍ଦେଶ ରହିଛି। ବିଦ୍ୟାଳୟ କର୍ତ୍ତୃପକ୍ଷ ମାତ୍ର ଲିଟରେ କ୍ଷୀର ଦେଇ ସେଥିରେ କାମ ଚଳାଇବାକୁ କହୁଛନ୍ତି।

ତେଣୁ ରାନ୍ଧୁଣିଆ ଅନ୍ୟ ଉପାୟ ନପାଇ ବାଲଟିଏ ପାଣିରେ ଲିଟରେ କ୍ଷୀର ମିଶାଇ ପିଲାଙ୍କୁ ବିତରଣ କରୁଛନ୍ତି। ସ୍କୁଲ ଅଧିକାରୀ ଶୈଳେଶ କନୌଜିଆ କହିଛନ୍ତି, ବିଦ୍ୟାଳୟରେ ୧୭୧ ପିଲା ପଢ଼ୁଛନ୍ତି। ଘଟଣାଦିନ ୮୧ ଛାତ୍ରଛାତ୍ରୀ ବିଦ୍ୟାଳୟରେ ଉପସ୍ଥିତ ଥିଲେ। ତାଙ୍କ ଦାୟିତ୍ୱରେ ଦୁଇଟି ବିଦ୍ୟାଳୟ ଥିବାରୁ ସେ ସମ୍ପୃକ୍ତ ପ୍ରାଥମିକ ବିଦ୍ୟାଳୟକୁ କେତେ ପରିମାଣର କ୍ଷୀର ଦିଆଯାଇଥିଲା, ସେ ସମ୍ପର୍କରେ କିଛି ଜାଣିନାହାନ୍ତି। ମୌଳିକ ଶିକ୍ଷା ଅଧିକାରୀ ଗୋରଖନାଥ ପଟେଲ କହିଛନ୍ତି ଯେ ଘଟଣା ସମ୍ପର୍କରେ ଅବଗତ ହେବାପରେ ସେ ବିଦ୍ୟାଳୟକୁ ଯାଇ ପ୍ରଧାନଶିକ୍ଷକଙ୍କଠାରୁ କୈଫିୟତ ତଲବ କରିଛନ୍ତି। ସମ୍ପୂର୍ଣ୍ଣ ଘଟଣାର ତଦନ୍ତ ଆଦେଶ ଦିଆଯାଇଛି।

ଶିକ୍ଷା ବିଭାଗର ଅଧିକାରୀମାନେ ଘଟଣାର ତଦନ୍ତ କରି ଦୁଇଦିନ ଭିତରେ ରିପୋର୍ଟ ପ୍ରଦାନ କରିବେ। ଦୋଷୀ ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବ୍ଲକ୍ ଶିକ୍ଷା ଅଧିକାରୀ ମୁକେଶ ରାୟ ମଧ୍ୟ ସମାନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇବାପରେ ସେ ତଦନ୍ତ ଆଦେଶ ଦେଇଛନ୍ତି। ସମ୍ପୃକ୍ତ ଘଟଣାର ତଦନ୍ତ ପାଇଁ ସେ ଆଦେଶ ପ୍ରଦାନ କରିଛନ୍ତି। ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ନଘଟିବା ପାଇଁ ପଦକ୍ଷେପ ନିଆଯିବ। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ରାଜନୈତିକ ପରାମର୍ଶଦାତା ଅଜୟ ରାୟ ଅଭିଯୋଗ କରିଛନ୍ତି ଯେ ଉତ୍ତରପ୍ରଦେଶର ବିଜେପି ସରକାରଙ୍କ ଉପର ଠାଉରିଆ ସୁଶାସନ ଧରାପଡ଼ିଯାଇଛି। ଉତ୍ତରପ୍ରଦେଶ ସରକାର ଛାତ୍ରଛାତ୍ରୀଙ୍କୁ ଠିକଭାବେ ମଧ୍ୟାହ୍ନଭୋଜନ ଦେବାକୁ ବିଫଳ ହୋଇଛନ୍ତି।