ତପୁ ମିଶ୍ରଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ, ସଂସ୍କୃତି ବିଭାଗ ପକ୍ଷରୁ ୧ ଲକ୍ଷ ଟଙ୍କା ମଞ୍ଜୁର

ଭୁବନେଶ୍ୱର,ଏନ୍ଏନ୍ଏସ୍: କିଛି ଦିନ ହେଲା ଓଲିଉଡ଼ର ଚର୍ଚ୍ଚିତ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଦିନକୁ ଦିନ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି। ଅନ୍ୟପଟେ ଅଧିକ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି। ଏଭଳିସ୍ଥିତିରେ ରାଜ୍ୟ ସଂସ୍କୃତି ବିଭାଗର କଳାକାର କଲ୍ୟାଣ ପାଣ୍ଠିରୁ ୧ ଲକ୍ଷ ଟଙ୍କାର ସହାୟତା ରାଶି ମଞ୍ଜୁର କରାଯାଇଛି। ତପୁଙ୍କ ଭଉଣୀ ଧ୍ରୁତିଦୀପା ମିଶ୍ର ଗତକାଲି ସୂଚନା ଦେଇଥିଲେ ଯେ ତପୁ ଏବେ ଭେଣ୍ଟିଲେଟର ସପୋର୍ଟରେ ରହିଛନ୍ତି। ଗତ ଦୁଇ ଦିନ ଧରି ତାଙ୍କ ଶରୀରରେ କୌଣସି ସୁଧାର ହେଉନାହିଁ ଏବଂ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏପରିକି ଫୁସଫୁସ ୭୫ ପ୍ରତିଶତ ପ୍ରଭାବିତ ହୋଇଛି। ତାଙ୍କୁ ଅଧିକ ଚିକିତ୍ସା ପାଇଁ କୋଲକାତା କିମ୍ବା ଚେନ୍ନାଇ ନେବାକୁ ମଧ୍ୟ କହିଥିଲେ।

ଏହା ପୂର୍ବରୁ ତପୁଙ୍କ ପିତା ଗତ ମେ’ ୧୦ ତାରିଖରେ କରୋନା ସଂକ୍ରମିତ ହୋଇ ମୃତ୍ୟୁ ବରଣ କରିଥିଲେ। ଏହା ପରେ ତପୁଙ୍କର ସାମାନ୍ୟ ଲକ୍ଷଣ ଦେଖାଯିବାରୁ ସେ ଗୃହ ସଂଗରୋଧରେ ରହିଥିଲେ। ମେ’ ୩୧ ତାରିଖରେ ତାଙ୍କର ଅମ୍ଳଜାନ ସ୍ତର ୪୫କୁ ଖସି ଆସିବାରୁ ସ୍ପର୍ଶ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ପ୍ରାୟ ୧୦ଦିନ ତଳେ ସମ୍ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସାଥୀ କଳାକାର, ଶୁଭେଚ୍ଛୁ ଓ ପ୍ରଶଂସକମାନେ ତପୁଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଇଶ୍ୱରଙ୍କ ନିକଟରେ ଦୀପଦାନ କରିଛନ୍ତି।