ନିଷ୍ଠା ପରିବାର ତରଫରୁ ୧ଲକ୍ଷ ୧ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା

ବରଗଡ଼,ଏନ୍ଏନ୍ଏସ୍: ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର ତରଫରୁ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧ ଲକ୍ଷ ୧ ହଜାର ଟଙ୍କା ପ୍ରଦାନ କରାଯାଇଛି। ଗ୍ରାମ୍ୟ ଉନ୍ନୟନ ତଥା ଶ୍ରମବିଭାଗ ମନ୍ତ୍ରୀ ସୁଶାନ୍ତ ସିଂ, ବରଗଡ଼ ବିଧାୟକ ଦେବେଶ ଆଚାର୍ୟ୍ୟଙ୍କ ଉପସ୍ଥିତିରେ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ଚେକ ପ୍ରଦାନ କରାଯାଇଥିଲା। ଏଠାରେ ସୂଚନାଯୋଗ୍ୟ ଯେ ନିଷ୍ଠା ପରିବାର ତରଫରୁ ଲକଡାଉନ ସମୟରେ ବିଭିନ୍ନ ସ୍ଥାନରେ ସଚେତନତା କାର୍ୟ୍ୟକ୍ରମ କରାଯିବା ସହ ମାସ୍କ ଓ ହାତ ଧୋଇବା ପାଇଁ ସାବୁନ ବଣ୍ଟନ କରାଯାଇଥିଲା।

ଲକଡାଉନ ଆରମ୍ଭରୁ ଜାତୀୟ ରାଜପଥ ୬ ବିକାଶ ହସ୍ପିଟାଲ ଛକଠାରେ ରାଜ୍ୟ ବାହାର ତଥା ବିଭିନ୍ନ ଜିଲ୍ଲା ଦେଇ ଆସୁଥିବା ଟ୍ରକ, ଗାଡି ଓ ଆମ୍ବୁଲାନ୍ସମାନଙ୍କୁ ରନ୍ଧାଖାଦ୍ୟ ବଣ୍ଟନ, ବିଭିନ୍ନ ସ୍ଥାନରେ ଅସହାୟ ଵ୍ୟକ୍ତିଙ୍କୁ ସାହାଯ୍ୟ ତଥା ଖାଦ୍ୟ ଯୋଗାଣ, ବୁର୍ଲା ବଡ଼ ଡ଼ାକ୍ତରଖାନାରେ ରୋଗୀ ସହାୟକଙ୍କୁ ଟିଫିନ ବଣ୍ଟନ, ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟିଫିନ ବଣ୍ଟନ, ବରଗଡ଼ ସହର ମଧ୍ୟରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା। ସରକାରଙ୍କୁ କୋଭିଡ଼ ମୁକାବିଲା ପାଇଁ ଆର୍ଥିକ ସହାୟତା ବାବଦକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧ ଲକ୍ଷ ୧ ହଜାର ଟଙ୍କା ପ୍ରଦାନ କରାଯାଇଛି। ଆଜି ଚେକ ପ୍ରଦାନ ସମୟରେ ଆଚାର୍ୟ୍ୟ ନିଷ୍ଠା ପରିବାର ସଭାପତି ରକ୍ଷପାଳ ସାହୁ, ସମ୍ପାଦକ ଅଶ୍ୱିନୀ ତ୍ରିପାଠୀ, ନିଷ୍ଠା ପରିବାର ସଭ୍ୟ କ୍ଷୀରୋଦ୍ର ସାହୁ, ଚିତ୍ର ପ୍ରଧାନ, ଶୋଭନ ରଥ, ଅମନ ଦେହେରୀ ପ୍ରମୁଖ ଉପସ୍ଥିତ ଥିଲେ।