ବିଷାକ୍ତ ମଦପିଇ ୧ ମୃତ, ୨୦ ଗୁରୁତର: ଅବକାରୀ ଏବଂ ସ୍ୱାସ୍ଥ୍ୟବିଭାଗ ଟିମର ତଦନ୍ତ ଆରମ୍ଭ

ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲାରେ ବିଷାକ୍ତ ମଦ ଜଣକର ମୃତ୍ୟୁ ଘଟିଥିବାବେଳେ ୨୦ରୁ ଉଦ୍ଧ୍ୱର୍ ଗୁରୁତର ହୋଇଛନ୍ତି। ଗତକାଲି କଲ୍ୟାଣସିଂହପୁର ବ୍ଲକ ଧାମୁଣି ପଙ୍ଗା ପଞ୍ଚାୟତ ଅନ୍ତର୍ଗତ କୁଲୁମୁଇ ଗାଁର ଗୋଟିଏ ପରିବାରର ଦୁଇଭାଇ ବିଶ୍ୱନାଥ ୱାନ୍ଦାଲାକା ଏବଂ ବଳରାମ ୱାନ୍ଦାଲାକା ବିଷାକ୍ତ ମଦ ପିଇ ଗୁରୁତର ହୋଇଯାଇଥିଲେ। ଉଭୟଙ୍କୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ବଳରାମ ଗୁରୁତର ହେବାରୁ ତାଙ୍କୁ ରାୟଗଡ଼ା ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ତେବେ ଗତ କାଲି ବିଳମ୍ବିତ ରାତିରେ ଢ଼େପାଗୁଡ଼ା ଗାଁର ଧାନଫୁଲ ହୁଇକା ବିଷାକ୍ତ ମଦ ପିଇ ମୃତ୍ୟୁ ବରଣ କରିଛି । ଅବକାରୀ ଟିମ୍ କତାଗୁଡ଼ା ଗାଁକୁ ଯାଇଥିବାବେଳେ ସେଠାରୁ ଦେଶିରନ୍ଧା ମଦ ପାଇଥିଲେ । କଲ୍ୟାଣସିଂହପୁର ବ୍ଲକ ଉପାଧକ୍ଷାଙ୍କ ସ୍ୱାମୀଙ୍କ କହିବା ଅନୁଯାୟୀ ଶିରିପୁରରେ ୬ ଜଣ, କୁଲମୁଇରେ ୨ ଜଣ, ନାରାୟଣପୁରରେ ୫ ଜଣ, ଇନ୍ତାଲିଗୁଡ଼ାରେ ୫ ଜଣ ଏବଂ ଦେବଗିରି ସାହିରେ ୨ ଜଣ ଏହି ମଦ ପିଇବାର କିଛି ସମୟ ପରେ ପେଟ ବ୍ୟଥା ସାଙ୍ଗକୁ ତରଳ ଝାଡ଼ା ହୋଇଥିଲା । ତେବେ ଏହି ସବୁ ଅଞ୍ଚଳର ଅସୁସ୍ଥମାନେ ଚିକିତ୍ସା ପାଇଁ ଡ଼ାକ୍ତରଖାନା ନଆସି ବରଂ ଦେଶୀ ପଦ୍ଧତିରେ ଚିକିତ୍ସା ହୋଇଥିଲେ।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି ଏଡିଏମଓ ମମତା ଚୌଧୁରୀଙ୍କ ନେତୃତ୍ୱରେ ଏକ ଟିମ୍ ସମ୍ପୃକ୍ତ ଅଞ୍ଚଳ ଗସ୍ତକରି ଅନୁସନ୍ଧାନ ଆରମ୍ଭ କରିଛନ୍ତି । ସେହିଭଳି ପୁଲିସ ମଧ୍ୟ ନିଜ ପକ୍ଷରୁ ଏକ ଟିମ ଗଠନ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ଗାଁରେ ଚଢ଼ାଉ ଅଭିଯାନ ଆରମ୍ଭ ହୋଇଛି ।