ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯାଇଥିବା ଯୁବକଙ୍କଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଟିଟିଲାଗଡ଼, ସଇଁନ୍ତଳା,ଏନ୍ଏନ୍ଏସ୍ : ବଲାଙ୍ଗିର ସହରର ଶାସ୍ତ୍ରୀ ଛକ ନିକଟସ୍ଥ ଷ୍ଟେଟ ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯାଇଥିବା ଜଣେ ଯୁବକଙ୍କଠାରୁ ୨ଜଣ ଦୁର୍ବୃତ୍ତ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏନେଇ ଟିଟିଲାଗଡ଼ ଥାନାରେ ଅଭିଯୋଗ ହୋଇଛି। ମିଳିଥିବା ରିପୋର୍ଟ ମୁତାବିକ, ଆଜି ପୂର୍ବାହ୍ନ ୧୧ଟା ସମୟରେ ହାଟପଦା ପଡ଼ାର ପ୍ରଦୀପ୍ତ କୁମାର ଜେନା ବଜାର ଶାଖାକୁ ଦେଢ଼ ଲକ୍ଷ ଟଙ୍କା ଜମା କରିବାକୁ ଯାଇଥିଲେ । ବ୍ୟାଙ୍କ ସମ୍ମୁଖରେ ବାଇକକୁ ଷ୍ଟାଣ୍ଡ ମାରିବା ସମୟରେ ସେଠାରେ ଛିଡ଼ା ହୋଇଥିବା ୨ଜଣ ଦୁର୍ବୃତ୍ତ ପ୍ରଦୀପ୍ତ ହାତରେ ଧରିଥିବା ଟଙ୍କା ଭର୍ତ୍ତି ବ୍ୟାଗକୁ ଲୁଟି ନେଇଥିଲେ। ସେହି ସମୟରେ ପ୍ରଦୀପ୍ତ ସେମାନଙ୍କୁ ପିଛା କରି ବାଇକ ପଛରେ ବସିଥିବା ଦୁର୍ବୃତକୁ ଧରି ଥିବାବେଳେ ଦୁର୍ବୃତ୍ତ ଜଣକ ତାଙ୍କୁ ଧକ୍କା ମାରିବାକୁ ସେ ତଳେ ପଡ଼ି ଯାଇଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଟଙ୍କା ଭର୍ତ୍ତି ବ୍ୟାଗକୁ ଧରି ଫେରାର ହୋଇ ଯାଇଥିଲେ। ପରେ ପ୍ରଦୀପ୍ତ ଥାନାରେେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଗ୍ରହଣ କରି ଅଭିଯୁକ୍ତଙ୍କୁ ଠାବ କରିବା ପାଇଁ ତନାଘନା ଉଦ୍ୟମ ଚଲାଇବା ସହ ବ୍ୟାଙ୍କର ସିସି ଟିଭି ଫୁଟେଜକୁ ଯାଞ୍ଚ କରିଥିବା ଜଣାପଡ଼ିଛି ।