ହାରିବା ପରେ ନିୟନ୍ତ୍ରଣ ହରାଇଲେ ଜୋକୋଭିକ୍, ରାକେଟକୁ ବାଡେଇ ଭାଙ୍ଗିଦେଲେ

ଟୋକିଓ,ଏଜେନ୍ସି: ବିଶ୍ୱ ପ୍ରସିଦ୍ଧ ଟେନିସ୍‌ ଖେଳାଳି ନୋଭାକ୍‌ ଜୋକୋଭିକ୍‌ ପୁରୁଷ ସିଙ୍ଗଲ୍ସରୁ ଅଭିଯାନ ଶେଷ କରିଛନ୍ତି। ଶନିବାର ଖେଳାଯାଇଥିବା ତୃତୀୟ ସ୍ଥାନ ପାଇଁ ଅନୁଷ୍ଠିତ ମ୍ୟାଚ୍‌ରେ ଜୋକୋଭିକ୍‌ ୪-୬, ୭-୬(୮-୬), ୩-୬ ସେଟ୍‌ରେ ସ୍ପେନ୍ର ପାବଲୋ କାରେନୋ ବୁଷ୍ଟାଙ୍କ ଠାରୁ ପରାଜିତ ହୋଇ ବ୍ରୋଞ୍ଜ ପଦକରୁ ବଞ୍ଚିତ ହୋଇଥିଲେ।

ସିଙ୍ଗଲ୍ସରେ ପରାଜିତ ହେବା ପରେ ଜୋକୋଭିକ୍‌ ମିକ୍ସଡ ଡବଲ୍ସରୁ ଓହରି ଯାଇଥିଲେ। ଫଳ ସ୍ୱରୂପ ଅଷ୍ଟ୍ରେଲିଆର ଆସଲି ବାର୍ଟି ଓ ଜନ ପିୟର୍ସ ଯୋଡି ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଜୋକୋଭିକ୍‌ ପୂର୍ବରୁ ୨୦୦୮ ବେଜିଂ ଅଲିମ୍ପିକ୍ସରେ ବ୍ରୋଞ୍ଜ ଓ ୨୦୧୬ ରିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ସେ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ। ଏଥର ମଧ୍ୟ ସେ ଚତୁର୍ଥ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି।

ତେବେ ପରାସ୍ତ ପରେ ଜୋକୋଭିକ୍ ନିଜ ଉପରୁ ନିୟନ୍ତ୍ରଣ ହରାଇଥିଲେ। ସେ ନିଜ ରାକେଟ୍ ଭାଙ୍ଗିବା ସହ ଅଶୋଭନୀୟ ଆଚରଣ ମଧ୍ୟ ପ୍ରଦର୍ଶନ କରିଥିଲେ। ଯାହାର ଭିଡିଓ ଟ୍ୱିଟରରେ ଭାଇରାଲ ହେବାରେ ଲାଗିଛି। ଏହାକୁ ଅନେକ ସମାଲୋଚନା ମଧ୍ୟ କରିଛନ୍ତି।