ହାଇଦରକୁ ୭ ଦିନ ରିମାଣ୍ଡରେ ଆଣିବ ପୁଲିସ

କଟକ,ଏନ୍ଏନ୍ଏସ୍ : ଗୁରୁବାର ତେଲଙ୍ଗାନାରୁ ଗିରଫ ହୋଇଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରକୁ କମିଶନରେଟ ପୁଲିସ ଆଜି କଟକର ଏସଡିଜେଏମ୍ କୋର୍ଟରେ ହାଜର କରାଇଛି। କୋର୍ଟ ତାକୁ ୭ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି। ଆଜି ହାଇଦରକୁ ଚୌଦ୍ୱାର ଜେଲକୁ ପଠାଇ ଦିଆଯାଇଛି। ଶନିବାର ଠାରୁ ପୁଲିସ ତାକୁ ରିମାଣ୍ଡରେ ନେବେ।
ହାଇଦରକୁ ଶୁକ୍ରବାର ଭୁବନେଶ୍ୱରରୁ କଟକ ଆଣି ପ୍ରାଥମିକ ପଚରାଉଚରା କରାଯାଇଥିଲା। କଟକ ଡିସିପିଙ୍କ କାର୍ଯ୍ୟାଳୟରେ ତା’ର ସ୍ୱାସ୍ଥ୍ୟ ଓ କରୋନା ପରୀକ୍ଷା କରାଯାଇଥିଲା। ଏହାପରେ ତାକୁ କୋର୍ଟଚାଲାଣ କରାଯାଇ ୧୦ଦିନିଆ ରିମାଣ୍ଡ ଆବେଦନ କରାଯାଇଥିଲା। ମାତ୍ର କୋର୍ଟ ୭ ଦିନ ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଛନ୍ତି। ରିମାଣ୍ଡରେ ଆଣିବା ପରେ ହାଇଦରକୁ ପଚରାଉଚରା କରି ତା’ ମୁହଁରୁ ସବୁ ତଥ୍ୟ ଉଗାଳିବ କମିଶନରେଟ୍ ପୁଲିସ। ପଚରା ଉଚରା ପାଇଁ ଏକାଧିକ ଟିମ୍ ମଧ୍ୟ ଗଠନ କରାଯାଇଛି। ହାଇଦରକୁ ପଚରାଉଚରା କରି ତାକୁ ଫେରାର କରାଇବାରେ କେଉଁମାନଙ୍କର ହାତ ରହିଥିଲା, ଏଥିପାଇଁ କେଉଁମାନେ ଷଡ଼ଯନ୍ତ୍ର ରଚନା କରିଥିଲେ ଓ ଏହି ଘଟଣାରେ କେଉଁ କେଉଁମାନଙ୍କର ସଂପୃକ୍ତି ରହିଛି ସେ ନେଇ ଖୋଳତାଡ଼ କରାଯିବା ପରେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ତା’ର ୮ ଜଣ ସହଯୋଗୀଙ୍କୁ ମଧ୍ୟ ଜେରା ଚାଲିଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି।