ସ୍ୱାମୀର ମୃତ୍ୟୁ ଖବର ଶୁଣି ସ୍ତ୍ରୀ ମୃତ

ଧର୍ମଶାଳା, ଏନ୍ଏନ୍ଏସ୍: ଯାଜପୁରସଦର ଥାନା ମହେଶ୍ୱରପୁର ପଂଚାୟତର ବରମପୁର ଗ୍ରାମରେ ସ୍ୱାମୀର ମୃତ୍ୟୁ ଖବର ଶୁଣି ସ୍ତ୍ରୀ ର ହଠାତ୍ ମୃତ୍ୟୁ ହୋଇଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଏହି ଗ୍ରାମର ଉଦୟନାଥ ଷଡଙ୍ଗୀ(୫୮) ନିକଟସ୍ଥ ହରିପୁର ବଜାରରୁ ଜିନିଷପତ୍ର କିଣାକିଣି କରି ରାତି ୧୦ଟା ସମୟରେ ଘରକୁ ଫେରୁଥିଲେ। ବାଟରେ ହଠାତ୍ ପଦନା ଗ୍ରାମ ନିକଟରେ ଛାତିରେ ଯନ୍ତ୍ରଣା ଅନୁଭବ କରି ତଳେ ପଡି ଯାଇଥିଲେ। ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଡକାଇ ଯାଜପୁର ମୁଖ୍ୟଚିକିତ୍ସା କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଭର୍ତି କରିଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘରେ ସ୍ତ୍ରୀ ଅମ୍ବିକା ଷଡଙ୍ଗୀ (୫୪) ସ୍ୱାମୀ ଉଦୟନାଥ ଙ୍କ ମୃତ୍ୟୁ ଖବର ଶୁଣି ହଠାତ୍ ଚେତାଶୁନ୍ୟ ହୋଇଯାଇଥିଲେ। ତାଙ୍କୁ ଯାଜପୁର ମୁଖ୍ୟଚିକିତ୍ସା କେନ୍ଦ୍ରରେ ଗତକାଲି ରାତି ସାଢେ ୧୧ଟା ସମୟରେ ଭର୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡଡାକ୍ତରଖାନାକୁ ସ୍ତାନାନ୍ତରିତ କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ୱାମୀ, ସ୍ତ୍ରୀଙ୍କ ମୃତ୍ୟୁରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସ୍ୱାମୀ, ସ୍ତ୍ରୀଙ୍କ ଶବଦାହରେ ସ୍ଥାନୀୟ ଅଂଚଳର ସରପଂଚଙ୍କ ସହିତ ଅନ୍ୟ ରାଜନେତାମାନେ ଅଂଶଗ୍ରହଣ କରିଥିଲେ।