ଶ୍ରମ କାର୍ଯ୍ୟାଳୟରେ ଖୋଲାଖୋଲି ଲାଞ୍ଚ କାରବାରର ଭିଡିଓ ଭାଇରାଲ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଖୋଲାଖୋଲି ଭାବେ ଲାଞ୍ଚ କାରବାର ହେଉଥିବା ଜଣାଯାଇଛି। ଶ୍ରମିକ ଚାଲାଣ ପାଇଁ ଲାଇସେନ୍ସ ଯୋଗାଇ ଦେବା ନାଁରେ ଜଣେ ବ୍ୟକ୍ତିଙ୍କ ଠାରୁ ସମ୍ପୃକ୍ତ କାର୍ଯ୍ୟାଳୟରେ କିରାଣି ଲାଞ୍ଚ ମାଗୁଥିବା ଦୃଶ୍ୟ ମୋବାଇଲ କ୍ୟାମେରାରେ କଏଦ ହୋଇଛି। ଏଥିରେ କାର୍ଯ୍ୟାଳୟର ଅତିରିକ୍ତ ଶ୍ରମ କମିସନର ମଧ୍ୟ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ଭାଇରାଲ ହୋଇଥିବାଭିଡିଓରେ ଦେଖିବାକୁ ମିଳିଛି ଯେ, କିଛି ବ୍ୟକ୍ତି ଶ୍ରମିକ ଚାଲାଣ ଲାଇସେନ୍ସ କରିବା ପାଇଁ ଶ୍ରମ କାର୍ଯ୍ୟାଳୟକୁ ଆସିଥିଲେ।

ତେବେ ପୂର୍ବରୁ ଏ ନେଇ ସେମାନେ ଆବେଦନ କରିବା ସହିତ ଆବଶ୍ୟକ ଫିସ୍‌ ବ୍ୟାଙ୍କରେ ଦାଖଲ କରିଥିଲେ। କିଛି କାଗଜପତ୍ର ଧରାଇ ଦେଇ ସେଠାରେ ଉପସ୍ଥିତ କିରାଣି ବଲ୍ଲଭ ନାଗଙ୍କୁ ଦସ୍ତଖତ କରି ତାହା ପ୍ରସ୍ତୁତ କରିବା ପାଇଁ କହିଥିଲେ। କିନ୍ତୁ କିରାଣି ଜଣଙ୍କ ବିନା ଟଙ୍କାରେ କାମ ହୋଇପାରିବ ନାହିଁ ବୋଲି କହିଥିଲେ। ଏଭଳି କି ଏହି କାର୍ଯ୍ୟାଳୟରେ ବିନା ଟଙ୍କାରେ କୌଣସି କାମ ହୁଏ ନାହିଁ ବୋଲି ସେ କହିଥିଲେ। ଏଥିସହ ମୁଁ ଏହି କାର୍ଯ୍ୟାଳୟରେ ଚାକିରି କରି ବୁଢ଼ା ହୋଇସାରିଲାଣି। କେମିତି କାମ ହୁଏ ମତେ ବେଶ୍ ଜଣା ବୋଲି କିରାଣି କହୁଛନ୍ତି। ସେହିପରି ଲାଇସେନ୍ସ ପାଇଁ ଆସିଥିବା ବ୍ୟକ୍ତିମାନେ ଟଙ୍କା କାଢ଼ି ଗଣିବା ପରେ ୧୦୦୦ଟଙ୍କା କିରାଣିଙ୍କୁ ଦେଉଥିବା ଭିଡ଼ିଓରେ ମଧ୍ୟ ରେକର୍ଡ଼ ହୋଇଛି। ତେବେ କିରାଣି ଜଣଙ୍କ ଟଙ୍କା ନେଇ ତାକୁ ରଖୁଥିବା ମଧ୍ୟ  ଦେଖିବାକୁ ମିଳିଛି। ଏହି ଘଟଣା ପରେ ଅତିରିକ୍ତ ଶ୍ରମ କମିସନର ସରୋଜ କୁମାର ରଞ୍ଜିତୋଙ୍କ ପ୍ରତିକ୍ରିୟା ମଗା ଯାଇଥିଲା। ଘଟଣାର ତଦନ୍ତ କରାଯାଇ ସରକାରୀ ନୀତି ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ରଞ୍ଜିତୋ କହିଥିଲେ।

ସେହିପରି ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ଏକ ଭିଡିଓରେ ଉକ୍ତ ଅତିରିକ୍ତ ଶ୍ରମ କମିସନର ନିଜେ ଲାଞ୍ଚ ନେଉଥିବା ଭିଡ଼ିଓ ଭାଇରାଲ ହୋଇଥିଲା। ଉକ୍ତ ଭିଡିଓ ଟିରେ ରଞ୍ଜିତୋଙ୍କ ଟେବୁଲ ଉପରେ ଟଙ୍କା ରଖାଯିବା ପରେ ତାକୁ ନିଜେ କାଗଜ ତଳେ ଲୁଚାଉଥିବାଦେଖିବାକୁ ମିଳିଛି। ଏ ନେଇ ତାଙ୍କୁ ପଚାରିବାରେ ମୋର କୌଣସି ଡିମାଣ୍ଡ ନାହିଁ, ସେମାନେ ଯାହା ଖୁସିରେ ଦେଲେ ଆମେ ନେଉ ବୋଲି ଶ୍ରୀ ରଞ୍ଜିତୋ କହିଛନ୍ତି। ତେବେ ଏ ସମ୍ପର୍କରେ ଶ୍ରୀ ରଞ୍ଜିତୋଙ୍କୁ ପଚାରିବାରୁ ସେ ଲାଞ୍ଚ ନେଇଥିବା କଥାକୁ ଅସ୍ୱୀକାର  କରିଛନ୍ତି । ମୋ ଟେବୁଲ ଉପରେ ଟଙ୍କା ରଖି ଚାଲି ଯାଇଥିଲେ। ଟଙ୍କା ନେବା ପାଇଁ ଡାକିଥିଲେ ମଧ୍ୟ ଶୁଣିନଥିଲେ ବୋଲି କହିଛନ୍ତି।

ଶ୍ରମ ବିଭାଗର ଅଧିକାରୀମାନେ ଖୋଲାଖୋଲି ଭାବେ ଟଙ୍କା ନେଇ ଦାଦନ ଚାଲାଣକୁ ପ୍ରତ୍ୟକ୍ଷ ପ୍ରୋତ୍ସାହିତ କରୁଥିବା ଜଣାଯାଇଛି। ରାଜ୍ୟ ସରକାର ୫ଟି ଫର୍ମୁଲା ଜାରି କରିଥିବା ବେଳେ ତାହା ବଲାଙ୍ଗିର ଜିଲ୍ଲାରେ ତାହା ଫିକା ପଡ଼ିଥିବା ଦେଖାଯାଉଛି।