ବରଗଡ଼,ଏନ୍ଏନ୍ଏସ୍ : ପେଟ୍ରୋଲ ପମ୍ପର ଫାୟାର ସେଫଟି ସାର୍ଟିଫିକେଟ ପାଇଁ ୧୨ ହଜାର ଟଙ୍କା ଲାଂଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସହକାରୀ ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ କୁମାର ମହାପାତ୍ର । ବରଗଡ଼ ଭିଜିଲାନ୍ସ ବିଭାଗ ଲାଂଚ ନେଇଥିବା ୧୨ ହଜାର ଟଙ୍କା ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛିି ।
ମିଳିଥିବା ରିପୋର୍ଟ ମୁତାବିକ, ଭେଡେନ ବ୍ଲକ ପପଙ୍ଗାରେ ହୃଷିକେଶ ପ୍ରଧାନଙ୍କ ଏସଆର ପେଟ୍ରୋଲ ପମ୍ପ ରହିଛି । ଉକ୍ତ ପେଟ୍ରୋଲ ପମ୍ପର ଫାୟାର ସେଫଟି ସାର୍ଟିଫିକେଟ ପାଇଁ ହୃଷିକେଶ ଚଳିତ ମାସ ୩ ତାରିଖରେ ଆବେଦନ କରିଥିବାବେଳେ ସହକାରୀ ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ କୁମାର ମହାପାତ୍ର ୫ ତାରିଖରେ ପେଟ୍ରୋଲ ପମ୍ପ ପରିଦର୍ଶନରେ ଯାଇଥିଲେ । ତେବେ ୯ ତାରିଖରେ ହୃଷିକେଶ ସାର୍ଟିଫିକେଟ ପାଇଁ ଅଗ୍ନିଶମ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସିଥିବାବେଳେ ଏଥିପାଇଁ ୧୫ ହଜାର ଟଙ୍କା ଲାଂଚ ମଗାଯାଇଥିଲା ଏବଂ ମୁଲଚାଲ ପରେ ୧୨ ହଜାରରେ କଥା ଛିଡ଼ିଥିଲା । ଏହାକୁ କେନ୍ଦ୍ର କରି ପେଟ୍ରୋଲ ପମ୍ପ ମାଲିକ ହୃଷିକେଶ ପ୍ରଧାନ ବରଗଡ଼ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ । ଗୁରୁବାର ସହକାରୀ ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ କୁମାର ମହାପାତ୍ର ନିଜ କାର୍ଯ୍ୟାଳୟରେ ଅଭିଯୋଗକାରୀ ହୃଷିକେଶଙ୍କଠାରୁ ୧୨ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ କାବୁ କରିଥିଲା। ଏନେଇ ସମ୍ବଲପୁର ଭିଜିଲାନ୍ସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି । ବରଗଡ଼ ଭିଜିଲାନ୍ସ ଡିଏସପି ପରମେଶ୍ୱର କିଶାନଙ୍କ ନେତୃତ୍ୱରେ ସମ୍ବଲପୁର ଭିଜିଲାନ୍ସ ଡିଏସପି ଏମ୍ ମିଞ୍ଜ, ଇନ୍ସପେକ୍ଟର ତପସ୍ୱିନୀ ସେଠ ଓ ଇନ୍ସପେକ୍ଟର ପୁନିତାପ୍ରଭା ବାଗେ ସାମିଲ ହୋଇଥିଲେ ।