୨ଲକ୍ଷ ୩୦ହଜାର ନକଲି ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲାରେ ଚାଲିଛି ଜାଲ ନୋଟ କାରବାର। ନକଲି ନୋଟ କାରବାରରେ ଲିପ୍ତ ଜଣେ ଯୁବକକୁ ଟିକିରି ପୁଲିସ ଗିରଫ ପରେ ଘଟଣା ପଦାକୁ ଆସିଛି। ଟିକିରି ଥାନା ଅନ୍ତର୍ଗତ ସୁନାମୁଡ଼ି ସାହିଠାରୁ ଯୋଗେନ୍ଦ୍ର ଓରଫ ଦେବଜନ୍‍ ନାୟକ(୨୫) ନକଲି ନୋଟ କାରବାର କରୁଥିବା ଟିକିରି ଥାନା ପୁଲିସ ଖବର ପାଇଥିଲା। ଆଇଆଇସି ସୁଗ୍ୟାନି ସାହୁଙ୍କ ନେତୃତ୍ୱରେ ଏକ ଟିମ ଅତର୍କିତ ସେଠାରେ ଚଢଉ କରି ଅଭିଯୁକ୍ତକୁ ଗିରଫ କରିବା ସହ ୧୧୫ଟି ଦୁଇହଜାର ଟଙ୍କିଆ ନୋଟ ଯାହାର ମୂଲ୍ୟ ୨ଲକ୍ଷ ୩୦ହଜାରଟଙ୍କା ଜବତ କରିଥିଲା।

ଏ ନେଇ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରବଣା ବିବେକ ଏମ। ଜାଲ ଟଙ୍କା କାରବାର କରୁଥିବାରୁ ଅଭିଯୁକ୍ତ ଯୋଗେନ୍ଦ୍ରଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନ ୪୮୯ବି ଓ ୪୮୯ସି ଅନୁଯାୟୀ ମାମଲା ରୁଜୁ ହୋଇଛି। ତେବେ ଏହି ନକଲି ନୋଟ ରାକେଟ ଜିଲ୍ଲା ତଥା ରାଜ୍ୟର କେଉଁ ଅଞ୍ଚଳରୁ ଚାଲୁଥିଲା।

ଏହି କାରବାରରେ କେତେ ଜଣ ସମ୍ପୃକ୍ତି ଅଛନ୍ତି ସେ ନେଇ ଅଧିକ ଖୋଲତାଳ ପୁଲିସ ପକ୍ଷରୁ କରାଯାଉଥିବା ଆରକ୍ଷୀ ଅଧୀକ୍ଷକ ପ୍ରକାଶ କରିଛନ୍ତି। ଅନ୍ୟପଟେ ଟିକିରି ଭଳି ବଜାରରେ ପୁଲିସ ଆଖିରେ ଧୂଳି ଦେଇ ନକଲି ଟଙ୍କା ବ୍ୟବସାୟ ବେସ ଆଗରୁ ଚଳିଥିବା ଜଣାପଡିଛି। ଏଭଳିସ୍ଥିତିରେ ନକଲିଟଙ୍କା ରାୟଗଡ଼ା ବଜାରରେ ପ୍ରବେଶ କରିଥିବାବେଳେ କେବଳ ପୁଲିସ ହାତରେ ଧରାପଡିଥିବା ଅଭିଯୁକ୍ତ ଯୁବକ ଏହି ଘଟଣାରେ ସାମିଲ ରହିଥିଲେ ନା ନକଲି ନୋଟର ଚେର ଅନ୍ୟଆଡେ ମଧ୍ୟ ଲମ୍ବିଛି ତାହା ଏବେ ପୁଲିସ ତଦନ୍ତ ପରିସରର୍ଭୁକ୍ତ ରହିଛି।