ମାରଣାସ୍ତ୍ର ଦେଖାଇ ୭୦ ହଜାର ସହିତ କାନଫୁଲ ଲୁଟ

ଦାରିଙ୍ଗବାଡ଼ି,ଏନ୍ଏନ୍ଏସ୍ଦାରିଙ୍ଗବାଡ଼ି ଥାନା କିରିକୁଟି ପଞ୍ଚାୟତ ଅନ୍ତର୍ଗତ ବାଇମାଲା ଗ୍ରାମରେ ଏକ ବଡ଼ ଧରଣର ଲୁଟ ହୋଇଛି। ମଧ୍ୟରାତ୍ରରେ ଘରେ ଦୁଇଜଣ ମହିଳା ଶୋଇଥିବାର ସୁଯୋଗ ନେଇ ଜଣେ ଦୁର୍ବୃତ୍ତ ଘର ପଛ କାନ୍ଥ ଭାଙ୍ଗି ଘରେ ପଶି ମହିଳାଙ୍କୁ ମାରଣାସ୍ତ୍ର ଦେଖାଇ ୭୦ ହଜାର ଟଙ୍କା ସହ ସେ କାନରେ ପିନ୍ଧିଥିବା କାନଫୁଲ ଲୁଟ୍‌ କରିଥିଲେ। ଏ ନେଇ ସୋମବାର ଶାଶୁ ନିବାଜିନୀ ଦିଗାଳ ଏବଂ ବୋହୂ ସିଲା ଦିଗାଳ ଦାରିଙ୍ଗବାଡ଼ିଥାନାରେ ଅଭିଯୋଗ କରିଛନ୍ତି। ସେହିପରି ଲୁଟ୍‌ ସମୟରେ ଶାଶୁ- ବୋହୂ ଲୁଟେରାଙ୍କୁ ଧରିବାକୁ ଉଦ୍ୟମ କରିବା ବେଳେ ଧସ୍ତାଧସ୍ତି ହୋଇ ଦୁର୍ବୃତ୍ତ ଜଣକ ମୋବାଇଲ ଛାଡ଼ି ପଳାଇଛନ୍ତି।

ସୂଚନା ଅନୁଯାୟୀ ବାଇମାଲା ଗ୍ରାମର ଶାଶୁ ଓ ବୋହୂ ଦୁହେଁ ରବିବାର ସିମନବାଡ଼ିସ୍ଥିତ କିଓସ୍କୋ ବ୍ୟାଙ୍କରୁ ୭୦ହଜାର ଟଙ୍କା ଉଠାଇ ଘରକୁ ଫେରିଥିଲେ। ରବିବାର ବିଳମ୍ବିତ ରାତିରେ ଜଣେ ଦୁର୍ବୃତ୍ତ ଘରେ ପଶି ଏହି ଲୁଟ୍‌ କରିଥିବା ଅଭିଯୋଗ ହୋଇଛି। ଏଥିରେ ବୋହୂ ସିଲା ଦିଗାଲଙ୍କ ହାତ ଏବଂ ଗୋଡ଼ରେ ଆଘାତ ଲାଗିଛି। ଏନେଇ ଦାରିଙ୍ଗବାଡ଼ି ଥାନାରେ କେସ୍‌ ନମ୍ବର ୯୩/୧୯ରେ ଏକ ମାମଲା ରୁଜୁକରାଯାଇ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ଦୁର୍ବୃତ୍ତ ଛାଡ଼ିଯାଇଥିବା ମୋବାଇଲକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ତେବେ ଖୁବ୍‍ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବବୋଲି ଥାନା ଅଧିକାରୀ କୌଶିକ ମାଝୀ ପ୍ରକାଶ କରିଛନ୍ତି।