ମନ୍ତ୍ରୀ ପାହ୍ୟା ସଂଖ୍ୟା ୩୩ : ସଂଶୋଧିତ ତାଲିକା ପ୍ରଦାନ କଲେ ସଂସଦୀୟ ମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମନ୍ତ୍ରିମଣ୍ଡଳ ବ୍ୟତୀତ ରାଜ୍ୟରେ ମନ୍ତ୍ରୀ ପାହ୍ୟାରେ ଥିବା ବ୍ୟକ୍ତି ବିଶେଷଙ୍କ ସଂଖ୍ୟା ୨୭ନୁହେଁ, ୩୩। ମଙ୍ଗଳବାର ଗୃହରେ ଦେଇଥିବା ଉତ୍ତରକୁ ବୁଧବାର ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସଂଶୋଧନ କରିଛନ୍ତି। ବିଧାନସଭାରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଆରୁଖ କହିଥିଲେ, ସଂଶୋଧିତ ତଥ୍ୟ ଅନୁସାରେ ରାଜ୍ୟ ସରକାର ମନ୍ତ୍ରିମଣ୍ଡଳ ବ୍ୟତୀତ ଆଉ ୩୩ ଜଣଙ୍କୁ ମନ୍ତ୍ରୀ ପାହ୍ୟା ପ୍ରଦାନ କରିଛନ୍ତି। ଏଥିରେ ୬ ଜଣଙ୍କୁ କ୍ୟାବିନେଟ୍ ପାହ୍ୟା ପ୍ରଦାନ କରାଯାଇଥିଲାବେଳେ ୨୬ ଜଣଙ୍କୁ ରାଷ୍ଟ୍ର ପାହ୍ୟା ମନ୍ତ୍ରୀ ପଦ ଏବଂ ଜଣଙ୍କୁ ଉପମନ୍ତ୍ରୀ ପଦ ପ୍ରଦାନ କରାଯାଇଛି । ସଂଶୋଧିତ ତାଲିକାରେ ସ୍ଥାନିତ ହୋଇଥିବା ବ୍ୟକ୍ତି ବିଶେଷମାନେ ହେଉଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ରଞ୍ଜନ ମଙ୍ଗରାଜ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ବିଜୟ କୁମାର ସାହୁ,‘ମୋ ସ୍କୁଲ’ ଅଭିଯାନର ଅଧ୍ୟକ୍ଷା ସୁସ୍ମିତା ବାଗଚି। ସେହିପରି ‘ମୋ କଲେଜ’ ଅଭିଯାନର ଅଧ୍ୟକ୍ଷ ଆକାଶ ଦାସ ନାୟକ, ରାଜ୍ୟ ଯୁବକଲ୍ୟାଣ ବୋର୍ଡ଼ର କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ବିଜୟ କୁମାର ନାୟକ ଏବଂ ଦିଲୀପ ତିର୍କୀଙ୍କ ନାଁ ବି ରହିଛି। ସେମାନଙ୍କ ଅଭିଜ୍ଞତା ଓ ପାରଦର୍ଶିତାକୁ ଆଧାର କରି ସରକାର ସ୍ୱତନ୍ତ୍ର ଭାବରେ ଏହି ନିଯୁକ୍ତି ପ୍ରଦାନ କରିଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସ୍ପଷ୍ଟ କରିଛନ୍ତି।
ମନ୍ତ୍ରୀ କହିଥିଲେ, ମଙ୍ଗଳବାର ଦେଇଥିବା ଉତ୍ତରରେ ୨୭ଜଣଙ୍କ ନାମ ଉଲ୍ଲେଖ କରିଥିଲେ । ସେମାନଙ୍କ ଭିତରେ ୨୦ ଜଣ ରାଷ୍ଟ୍ରପାହ୍ୟା ମନ୍ତ୍ରୀ ହୋଇଥିବାବେଳେ ୬ ଜଣ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟାରେ ରାଜ୍ୟ ସରକାରଙ୍କ ବିଭିନ୍ନ ଦାୟିତ୍ୱରେ ଥିବା ଉଲ୍ଲେ୍ଖ କରିଥିଲେ। ବିବୃତି ଅନୁସାରେ ବିରୋଧୀଦଳ ନେତା ପ୍ରଦୀପ୍ତ କୁମାର ନାଏକ, ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ, ଦକ୍ଷତା ବିକାଶ ପ୍ରାଧୀକରଣ ଅଧ୍ୟକ୍ଷ ସୁବ୍ରତ ବାଗଚି, ଓଡ଼ିଶା କୋଠା ଓ ଅନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଅଧ୍ୟକ୍ଷ ଡ. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଏବଂ ସ୍ୱାସ୍ଥ୍ୟ ବିଭାଗ ଉପଦେଷ୍ଟା ଡ. କେ ଶ୍ରୀନାଥଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ମିଳିଛି। ସେହିପରି ଶାସକ ଦଳ ଉପ ସଚେତକ ରୋହିତ ପୂଜାରୀଙ୍କୁ ଉପ ମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଛି। ଏବେ ମନ୍ତ୍ରୀ ମଣ୍ଡଳ ବ୍ୟତୀତ ମନ୍ତ୍ରୀ ପାହ୍ୟାଙ୍କ ସଂଖ୍ୟା ୩୩ ବୋଲି ସେ ସ୍ପଷ୍ଟ କରିଛନ୍ତି।